ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ମହାବିଷୁବ ସଂକ୍ରାନ୍ତି । ଆଜି ଠାରୁ ଆରମ୍ଭ ହେଲା ନୂତନ ଓଡ଼ିଆ ପଞ୍ଜିକା । ତେବେ ଓଡ଼ିଆ ପଞ୍ଜିକାର ଗଣନା ଅନୁଯାୟୀ ଏହା ହେଉଛି ବର୍ଷର ପ୍ରଥମ ଦିନ । ଆଜି ମେଷ ରାଶିରେ ରବି ଅବସ୍ଥାନ କରୁଥିବାରୁ ଏହାକୁ ମେଷ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଓଡ଼ିଶାରେ ଏହା ପଣା ସଂକ୍ରାନ୍ତି ଭାବେ ଲୋକପ୍ରିୟ । ଆଜି ଦିନରେ ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ପଣା ଭୋଗ କରାଯାଏ । ଏହା ଆମର ସାମାଜିକ, ଆଧ୍ୟାତ୍ମିକ ଓ ପାରିବାରିକ ଭିତ୍ତିଭୂମିକୁ ସୁଦୃଢ଼ କରୁଥିବା ପର୍ବ ।ଶ୍ରୀକ୍ଷେତ୍ର ପୁରୀର ଜାଗା ଆଖଡାରେ ଆଜିର ଦିନରେ ପଣାର ଆସର ଜମିଥାଏ । ଅନ୍ୟପଟେ ପରମ୍ପରା ଅନୁଯାୟୀ, ଆଜିଠାରୁ ନୂତନ ପଞ୍ଜିକା ପ୍ରଚଳନ ଆରମ୍ଭ ହୋଇଥାଏ । ଆଜି ମହାବୀରଙ୍କ ଜୟନ୍ତୀ । ଏଥିପାଇଁ ସବୁ ହନୁମାନ ମନ୍ଦିରରେ ବଜରଙ୍ଗବାଲିଙ୍କ ପୂଜାର୍ଚ୍ଚନା ଚାଲିଛି ।
