ଇରାନର ସର୍ବୋଚ୍ଚ ନେତା ମୋଜତବା ଖେମିନି ଗୁରୁତର ଆହତ!

ୱାସିଂଟନ:ଇରାନର ନୂଆ ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତବା ଖେମିନିଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଶ୍ୱଜୁଡ଼ା ଅନେକ କଳ୍ପନା-ଜଳ୍ପନା ଚାଲିଥିବାବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ନେଇ ବଡ଼ ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ମୋଜତବା ଖେମିନି ସମ୍ଭବତଃ ଜୀବିତ ଅଛନ୍ତି, କିନ୍ତୁ ସେ ଗୁରୁତର ଭାବେ ଆହତ ହୋଇଥାଇପାରନ୍ତି।ଫକ୍ସ ନ୍ୟୁଜ୍‌ ରେଡିଓର “ବ୍ରାଏନ୍ କିଲମିଡ୍ ଶୋ” ରେ ସାକ୍ଷାତକାର ଦେଇ ଟ୍ରମ୍ପଙ୍କୁ ମୋଜତବା ଜୀବିତ ନା ମୃତ ବୋଲି ପ୍ରଶ୍ନ କରାଯାଇଥିଲା। ଏଥିରେ ଟ୍ରମ୍ପ କହିଥିଲେ, “ସେ ଜୀବିତ ଥାଇପାରନ୍ତି, କିନ୍ତୁ ଗୁରୁତର ଭାବେ ଆହତ।”ଆମେରିକା ଓ ଇସ୍ରାଏଲ ଦ୍ୱାରା ଇରାନ ଉପରେ ଆକ୍ରମଣ ହେବା ପରଠାରୁ ମୋଜତବା ଖେମିନିଙ୍କୁ ସାର୍ବଜନୀନରେ ଦେଖାଯାଇନଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଓ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି।ଉଲ୍ଲେଖ୍ୟ ଯେ, ଫେବ୍ରୁଆରି ୨୮ ତାରିଖରେ ଆମେରିକାର ଆକ୍ରମଣରେ ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ଘଟିଥିବା ଖବର ଆସିଥିଲା। ସେହି ଆକ୍ରମଣରେ ମୋଜତବା ମଧ୍ୟ ଗୁରୁତର ଭାବେ ଆହତ ହୋଇଥାଇପାରନ୍ତି ବୋଲି ଅନେକ ରିପୋର୍ଟ ପ୍ରକାଶ ପାଇଛି।ବ୍ରିଟିଶ୍‌ ଟ୍ୟାବଲଏଡ୍‌ “ଦି ସନ” ରିପୋର୍ଟ ଅନୁଯାୟୀ, ୫୬ ବର୍ଷୀୟ ଧର୍ମଗୁରୁ ବର୍ତ୍ତମାନ କୋମାରେ ଅଛନ୍ତି ଏବଂ ଆକ୍ରମଣରେ ଗୁରୁତର ଆହତ ହୋଇ ଗୋଟିଏ କିମ୍ବା ଦୁଇଟି ଗୋଡ଼ ହରାଇଥାଇପାରନ୍ତି। ତାଙ୍କର ପାକସ୍ଥଳୀ ଓ ଯକୃତ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି। ବର୍ତ୍ତମାନ ତାଙ୍କୁ ତେହେରାନର ସିନା ବିଶ୍ୱବିଦ୍ୟାଳୟ ହସ୍ପିଟାଲ‌ରେ ଚିକିତ୍ସା କରାଯାଉଛି ବୋଲି ଖବର ମିଳିଛି।ତଥାପି ଇରାନ ସରକାର କହିଛି ଯେ, ମୋଜତବା ଆକ୍ରମଣରେ ଆହତ ହୋଇଥିଲେ ମଧ୍ୟ ସେ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେଧୀରେ ଉନ୍ନତି ହେଉଛି।ଏପଟେ ସାଇପ୍ରସରେ ତେହେରାନର ରାଷ୍ଟ୍ରଦୂତ ଆଲିରେଜା ସାଲାରିଆନ୍ କହିଛନ୍ତି, “ମୁଁ ଶୁଣିଛି ଯେ ମୋଜତବାଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଛି। ସେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।”ସର୍ବୋଚ୍ଚ ନେତା ଘୋଷଣା ହେବା ପରେ ଇରାନର ସରକାରୀ ଟେଲିଭିଜନ ମୋଜତବାଙ୍କ ପ୍ରଥମ ବିବୃତି ପ୍ରସାରଣ କରିଥିଲା। ସେଥିରେ ସେ ଚେତାବନୀ ଦେଇଥିଲେ ଯେ, ଇରାନ ସଂଘର୍ଷରେ ପ୍ରାଣ ହରାଇଥିବା ଲୋକଙ୍କ ମୃତ୍ୟୁର ପ୍ରତିଶୋଧ ନେବ ଏବଂ ମଧ୍ୟପ୍ରାଚ୍ୟରେ ଥିବା ସମସ୍ତ ଆମେରିକୀୟ ଏୟାର ବେସ୍‌ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ।ସେ ଆଉ ଚେତାବନୀ ଦେଇଥିଲେ ଯେ, ଇରାନ ଯୁଦ୍ଧ ପାଇଁ କ୍ଷତିପୂରଣ ଦାବି କରିବ ଏବଂ ଯଦି ଦାବି ପୂରଣ ହେବ ନାହିଁ, ତେବେ ବିଦେଶୀ ସମ୍ପତ୍ତିକୁ ଟାର୍ଗେଟ କରାଯାଇପାରେ।ମୋଜତବାଙ୍କ ଏହି ବିବୃତି ପରେ ଆମେରିକା ଓ ଇସ୍ରାଏଲର ଭାବଧାରା ଆହୁରି ଆକ୍ରାମକ ହୋଇଥିବା ଦେଖାଯାଇଛି।

Related Posts