ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତାମିଲନାଡ଼ୁ ମନ୍ତ୍ରିମଣ୍ଡଳରେ ୨ କଂଗ୍ରେସ ବିଧାୟକ ଓ ୨୧ ଟିଭିକେ ବିଧାୟକ ମନ୍ତ୍ରିପଦର ନେଲେ ଶପଥ । ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ବିଧାୟକମାନଙ୍କୁ ମନ୍ତ୍ରିପଦର ଶପଥ ପାଠ କରାଇଥିଲେ। ଶ୍ରୀନାଥ, ଏସ କମଳି, ସି ବିଜୟଲକ୍ଷ୍ମୀ ଓ ଆରଭି ରଞ୍ଜିତକୁମାରଙ୍କ ସମେତ ଟିଭିକେ ବିଧାୟକମାନେ ପ୍ରାରମ୍ଭରେ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ।
୨୩ ନୂଆ ମନ୍ତ୍ରୀ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳର କ୍ଷମତା ୩୩ରେ ପହଞ୍ଚିଛି। କଂଗ୍ରେସ ବିଧାୟକ ରାଜେଶ କୁମାର ଏସ୍ ଓ ପି ବିଶ୍ବନାଥନ୍ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ମେ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ବିଜୟ, ଅନ୍ୟ ନଅ ଜଣ ବିଧାୟକ ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ମନ୍ତ୍ରିପଦର ଶପଥ ନେଇଥିଲେ। ସେପଟେ କଂଗ୍ରେସ ବିଧାୟକ ରାଜେଶ କୁମାର କନ୍ୟାକୁମାରୀ ଜିଲ୍ଲାର କିଲିୟୁର ନିର୍ବାଚନମଣ୍ଡଳୀର ଜଣେ ଅଭିଜ୍ଞ ରାଜନେତା ଓ ତିନି ଥରର ବିଧାୟକ।
୫୧ ବର୍ଷୀୟ ରାଜେଶ କୁମାର କନ୍ୟାକୁମାରୀ ପଶ୍ଚିମର ପୂର୍ବତନ ଜିଲ୍ଲା କଂଗ୍ରେସ କମିଟି ସଭାପତି ମଧ୍ୟ। ନିର୍ବାଚନରେ ସେ ଟିଭିକେ ପ୍ରାର୍ଥୀ ଏସ୍ ସାବିନଙ୍କୁ ୧,୩୧୧ ଭୋଟରେ ପରାଜିତ କରିଥିଲେ। ପି ବିଶ୍ବନାଥନ ମଦୁରାଇର ମେଲୁର ନିର୍ବାଚନ ମଣ୍ଡଳୀରୁ ଜିତିଥିଲେ। ୬୧ ବର୍ଷୀୟ ବିଶ୍ବନାଥନ ୨,୭୨୪ ଭୋଟରେ ଟିଭିକେ ପ୍ରାର୍ଥୀ ଏ ମଦୁରାଇଭିରନ୍ଙ୍କୁ ନିର୍ବାଚନରେ ପରାସ୍ତ କରିଥିଲେ।
