ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୁଣି ୨ ଟଙ୍କା ମହଙ୍ଗା ହେଲା ସିଏନ୍‌ଜି । ୧୨ ଦିନରେ ଚତୁର୍ଥ ଥର ପାଇଁ ବଢ଼ିଲା ସିଏନ୍‌ଜି ଦର। ପ୍ରଥମେ ମେ’ ୧୫ରେ ସିଏନ୍‌ଜି ଦର ୨ ଟଙ୍କା ବୃଦ୍ଧି ପାଇଥିଲା। ଏହାପରେ ମେ’ ୧୮ରେ ୧ ଟଙ୍କା, ମେ’ ୨୩ରେ ୧ ଟଙ୍କା ଏବଂ ଆଜି ଅର୍ଥାତ୍ ମେ’ ୨୬ରେ ୨ ଟଙ୍କା ବୃଦ୍ଧି କରାଯାଇଛି।

ମୋଟ ଉପରେ, ଗତ ୧୨ ଦିନରେ ମୂଲ୍ୟ ୬ ଟଙ୍କା ବୃଦ୍ଧି ପାଇଛି। ଆଜିର ସର୍ବଶେଷ ବୃଦ୍ଧି ପରେ, ଦେଶର ରାଜଧାନୀ ଦିଲ୍ଲୀରେ ୧ କିଲୋଗ୍ରାମ ସିଏନ୍‌ଜିର ମୂଲ୍ୟ ୮୧.୦୯ ଟଙ୍କାରୁ ୮୩.୦୯ ଟଙ୍କାକୁ ବୃଦ୍ଧି ପାଇଛି। ଦିଲ୍ଲୀ ସଂଲଗ୍ନ ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ମଧ୍ୟ ସିଏନ୍‌ଜି ମୂଲ୍ୟ ଆକାଶଛୁଆଁ ହୋଇଛି। ଗାଜିଆବାଦ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ସେଠାରେ ସିଏନ୍‌ଜିର ମୂଲ୍ୟ କିଲୋ ପିଛା ଶହେ ଟପି ୧୦୨.୯୦ ଟଙ୍କାରେ ପହଞ୍ଚିଛି। ସବୁଠାରୁ ଚିନ୍ତାଜନକ କଥା ହେଉଛି ସିଏନ୍‌ଜି ମୂଲ୍ୟରେ ଏହି କ୍ରମାଗତ ବୃଦ୍ଧି କେବେ ବନ୍ଦ ହେବ ସେ ବିଷୟରେ କୌଣସି ସୂଚନା ନାହିଁ।