ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): CJP ପ୍ରତିଷ୍ଠାତା ଦଳ ଗଠନ କରିବାକୁ ମନା କରିବା ପରେ, CJP ର ପଞ୍ଜୀକରଣ କରିବାକୁ ECIଙ୍କ ଦ୍ୱାରସ୍ଥ ହେଲେ ହରିୟାଣାର ଓକିଲ । ତେବେ ହରିୟାଣାର ପାନିପତର ଜଣେ ଓକିଲ ସୁଧୀର ଜାଖର ନିଜକୁ ଏହି ଦଳର ଜାତୀୟ ଆହ୍ୱାନକାରୀ ଦର୍ଶାଇ ଦଳର ନାମ ଓ ”କୋକରୋଚ୍” ଲୋଗୋ ସହ ଭାରତୀୟ ନିର୍ବାଚନ କମିଶନ (ଇସିଆଇ) ଙ୍କ ନିକଟରେ ଆନୁଷ୍ଠାନିକ ପଞ୍ଜୀକରଣ ପାଇଁ ମଙ୍ଗଳବାର ଆବେଦନ କରିଛନ୍ତି, ଯାହାକୁ ନେଇ ଜାତୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି।

ପ୍ରତିନିଧିତ୍ୱ ଆକ୍ଟର ଧାରା ‘୨୯ଏ’ ଅନୁଯାୟୀ କରାଯାଇଥିବା ଏହି ଆବେଦନ ଯଦି ଗ୍ରହଣ ହୁଏ, ତେବେ ଆମେରିକାରେ ରହୁଥିବା ଏହାର ମୂଳ ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ବଦଳରେ ସୁଧୀର ଜାଖର ଏହି ଦଳର ସମସ୍ତ ଅଫିସିଆଲ୍ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ସ ଉପରେ ନିଜର ଆଇନଗତ ଦାବି ଉପସ୍ଥାପନ କରିପାରିବେ। ସେପଟେ ବୋଷ୍ଟନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଏହାର ମୂଳ ପ୍ରତିଷ୍ଠାତା ଅଭିଜିତ ଦୀପକେ ଭାରତ ଆସି ଦଳ ଗଠନ କରିବାକୁ ମନା କରିବା ପରେ, ଯୁବପିଢ଼ିଙ୍କ ଆକ୍ରୋଶ ଓ ଏହି ବଡ଼ ଆନ୍ଦୋଳନକୁ ବଞ୍ଚାଇବା ପାଇଁ ସେ ନିଜେ ଏହାକୁ ପଞ୍ଜୀକରଣ କରିବାକୁ ଆଗେଇ ଆସିଛନ୍ତି ବୋଲି ଓକିଲ ଜାଖର କହିଛନ୍ତି।

ଜାଖର ନିର୍ବାଚନ କମିଶନଙ୍କ ନିକଟରେ ଦଳର ଲକ୍ଷ୍ୟ ଭାବେ ସାମ୍ବିଧାନିକ ମୂଳ କର୍ତ୍ତବ୍ୟର ପ୍ରଚାର, ସାମାଜିକ ଅଡିଟ୍, ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ଭଳି ପ୍ରସଙ୍ଗ ରଖିଛନ୍ତି। ତେବେ, ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ପଶୁପକ୍ଷୀଙ୍କ ମଧ୍ୟରେ କେବଳ ସିଂହ ଓ ହାତୀକୁ ଛାଡ଼ି ଅନ୍ୟ କୌଣସି ଜୀବଜନ୍ତୁଙ୍କ ଚିହ୍ନ ପ୍ରଦାନ କରାଯାଉ ନଥିବାରୁ, ଦଳକୁ ନିଜର ପ୍ରିୟ ‘କୋକରୋଚ୍’ ଚିହ୍ନ ମିଳିବା ଆଶା କମ୍ ରହିଛି।