ନୂଆଦିଲ୍ଲୀ() ଜୀବନ ଧାରଣ କ୍ଷମତାରେ ସୁଧାର ଆସିଲେ ପାରମ୍ପରିକ ଭାବେ କୌଣସି ଅଞ୍ଚଳ କିମ୍ବା ସମାଜରେ ଜନ୍ମ ହାର ହ୍ରାସ ପାଇଥାଏ। କିନ୍ତୁ ଗବେଷକମାନଙ୍କ ଅନୁସାରେ ୨୦୦୭ ପର ଠାରୁ ଆର୍ଥିକ ଓ ସାମାଜିକ ପରିସ୍ଥିତି ଭିନ୍ନ ଥିଲେ ମଧ୍ୟ ଜନ୍ମହାର ଦ୍ରୁତ ଗତିରେ ହ୍ରାସ ପାଇଛି। ନିକଟରେ ପ୍ରକାଶିତ ଦୁଇଟି ଅଧ୍ୟୟନ ବିଶ୍ୱବ୍ୟାପୀ ଜନ୍ମହାର ହ୍ରାସ ପଛରେ ଆଧୁନିକ ସ୍ମାର୍ଟଫୋନ୍, ବିଶେଷକରି ଆଇଫୋନ୍‌ର ବ୍ୟାପକ ବ୍ୟବହାର ବୋଲି ଦାବି କରାଯାଇଛି। ଆମେରିକାରେ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ, ୧୯୮୦ ରୁ ୨୦୦୭ ପର୍ଯ୍ୟନ୍ତ ପ୍ରତି ୧୦୦୦ ମହିଳାଙ୍କ ମଧ୍ୟରେ ଜନ୍ମହାର ୬୫ ରୁ ୭୦ ମଧ୍ୟରେ ସ୍ଥିର ଥିଲା। କିନ୍ତୁ ୨୦୦୭ ପରେ ଏହାର ଦ୍ରୁତ ହ୍ରାସ ଆରମ୍ଭ ହୋଇ ୨୦୦୪ ସୁଦ୍ଧା ୫୪କୁ ଖସିଆସିଛି। ଅର୍ଥାତ ୧୭ ବର୍ଷ ମଧ୍ୟରେ ଜନ୍ମହାରରେ ୨୨% ହ୍ରାସ ଘଟିଛି। ହେଲେ ଆଇଫୋନର ବ୍ୟବହାର ଯୋଗୁ ଜନ୍ମ ହାର ହ୍ରାସ ପାଇବାର ହିସାବ କରିବା ବେଶ କଷ୍ଟକର। ଏହା ପଛରେ ଏକାଧିକ କାରଣ ରହିଥାଇପାରେ। ୨୦୦୮ ଆର୍ଥିକ ସଙ୍କଟ ମଧ୍ୟ ଏହାର ପ୍ରମୁଖ କାରଣ ହୋଇପାରେ। ତେବେ ଅଧ୍ୟୟନ ବେଳେ ଗବେଷକମାନେ ଆଇଫୋନର ପ୍ରଭାବ ଉପରେ ଫୋକସ କରିଥିଲେ।  ଆମେରିକାରେ ୨୦୦୭ ଜୁନରୁ ୨୦୧୧ ଫେବୃଆରୀ ମଧ୍ୟରେ ଆଇଫୋନ୍ କେବଳ AT&T ନେଟୱାର୍କରେ ଉପଲବ୍ଧ ଥିଲା। ତେଣୁ AT&T କଭରେଜ୍ ଥିବା ଓ ନଥିବା ଅଞ୍ଚଳର ଜନ୍ମହାରକୁ ଗବେଷକମାନେ ତୁଳନା କରିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ ଆଇଫୋନ୍ ଉପଲବ୍ଧ ଥିବା ଅଞ୍ଚଳରେ ୧୫ରୁ ୧୯ ବର୍ଷ ବୟସର ମହିଳାଙ୍କ କ୍ଷେତ୍ରରେ ଜନ୍ମହାର ୪.୫ରୁ ୮% ଓ ୨୦ରୁ ୨୪ ବର୍ଷ ବୟସର ମହିଳାଙ୍କ କ୍ଷେତ୍ରରେ ଜନ୍ମହାର ୩.୨ରୁ ୬.୬ ପ୍ରତିଶତ ପର୍ଯ୍ୟନ୍ତ କମିଥିଲା।୨୦୦୭ରୁ ୨୦୨୪ ମଧ୍ୟରେ ୧୫ରୁ ୧୯ ବର୍ଷ ବୟସ ଗୋଷ୍ଠୀରେ ଜନ୍ମହାର ୭୦ ପ୍ରତିଶତ ଓ ୨୦ରୁ ୨୪ ବର୍ଷ ବୟସ ଗୋଷ୍ଠୀରେ ୪୭ ପ୍ରତିଶତ ହ୍ରାସ ପାଇଛି। କିନ୍ତୁ ୩୦ରୁ ୩୪ ବର୍ଷ ମହିଳାଙ୍କ କ୍ଷେତ୍ରରେ ୭% ଓ ୩୫ ରୁ ୩୯ ବର୍ଷ ବୟସର ମହିଳାଙ୍କ ମଧ୍ୟରେ ଏହା ୧୪ ପ୍ରତିଶତ ବୃଦ୍ଧି ପାଇଛି। ଯେଉଁ ସବୁ କାଉଣ୍ଟୀରେ AT&T କଭରେଜ ନାହିଁ, ସେଠାରେ ଜନ୍ମ ହାର ୧୩.୮% ରହିଥିବା ବେଳେ ଆଂଶିକ ଉପଲବ୍ଧ ଥିବା କାଉଣ୍ଟୀରେ ୧୮.୯% ଓ ସଂପୂର୍ଣ୍ଣ କଭରେଜ କାଉଣ୍ଟୀରେ ଜନ୍ମ ହାର ୨୬% ହ୍ରାସ ପାଇଛି। ଏହା ସହ ଯୌନ ସମ୍ପର୍କର ହାର କମିଥିବା ବେଳେ ଅନଲାଇନ୍ ପର୍ଣ୍ଣଗ୍ରାଫି ଦେଖିବାର ଅଭ୍ୟାସକୁ ମଧ୍ୟ ବଢ଼ାଇଛି। ଏହି ଅଭ୍ୟାସ ଯୌନ ସମ୍ପର୍କର ବିକଳ୍ପ ଭାବେ କାମ କରୁଛି ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ୧୨୮ଟି ଦେଶକୁ ନେଇ କରାଯାଇଥିବା ଆଉ ଗୋଟିଏ ଅଧ୍ୟୟନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। କେବଳ ଆମେରିକା ନୁହେଁ, ଏହା ଅନ୍ୟ ଦେଶଗୁଡ଼ିକେ ମଧ୍ୟ ସମାନ ପ୍ରଭାବ ପକାଇଛି। ଏସବୁ ସତ୍ତ୍ୱେ ଗବେଷକମାନେ ସ୍ପଷ୍ଟ କରିଛନ୍ତି ଯେ ଆଇଫୋନ୍ କିମ୍ବା ସ୍ମାର୍ଟଫୋନ୍ ହିଁ ଜନ୍ମହାର ହ୍ରାସର ଏକମାତ୍ର କାରଣ ନୁହେଁ। ଆର୍ଥିକ ଅନିଶ୍ଚିତତା, ଚାକିରି, ବିବାହରେ ବିଳମ୍ବ, ଖର୍ଚ୍ଚ ବୃଦ୍ଧି ଓ ସାମାଜିକ ପରିବର୍ତ୍ତନ ମଧ୍ୟ ଏହା ପଛରେ ଗୁରୁତ୍ୱପୂର୍ଣ୍ଣ କାରଣ ହୋଇପାରେ।