ଭୁବନେଶ୍ବର: ଏଥର ରଜରେ ଭିଜାଇବ ବର୍ଷା। ଆଉ ପାରଦ ତଳ ମୁହାଁ ହୋଇଥିବାବେଳେ ସାମାନ୍ୟ ଆଶ୍ବସ୍ତି ମିଳିଛି। ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ରଜ ପୂର୍ବରୁ ଓଡ଼ିଶାରେ ମୌସୁମୀ ପ୍ରବେଶ କରିଥିବାବେଳେ ରାଜ୍ୟରେ ତାପମାତ୍ରା ଏବଂ ଗରମ ସାମାନ୍ୟ ହ୍ରାସ ପାଇଛି। ରାଜ୍ୟର ଉତ୍ତର ଭାଗକୁ ମୌସୁମୀ ଅଗ୍ରସର ହୋଇଛି। ଆଉ କିଛି ଦିନ ମଧ୍ୟରେ ସାରା ରାଜ୍ୟରେ ସକ୍ରିୟ ହେବ ମୌସୁମୀ। ସୂଚନାଯୋଗ୍ୟ, ସ୍ବାଭାବିକ ସମୟର ୩ ଦିନ ବିଳମ୍ବରେ ଚଳିତ ବର୍ଷ କେରଳମ୍ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଓଡ଼ିଶାକୁ କିନ୍ତୁ ସ୍ବାଭାବିକ ସମୟରେ ମୌସୁମୀ ଆସିପାରେ ବୋଲି ଅନୁମାନ କରାଯାଇ ଥିଲା। ଅର୍ଥାତ୍ ଜୁନ୍ ୧୦ରୁ ୧୨ ତାରିଖ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଥିଲା। ସାଧାରଣତଃ ଜୁନ୍ ୧ରେ କେରଳମ୍ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୧୦ରୁ ୧୨ ତାରିଖ ମଧ୍ୟରେ ଓଡ଼ିଶା ଛୁଇଁଥାଏ। ଯଦିଓ ଓଡ଼ିଶାକୁ ମୌସୁମୀ ଆଗମନ ପାଇଁ କେରଳମ୍କୁ ମୌସୁମୀର ଆଗମନ ଅପେକ୍ଷା ବଙ୍ଗୋପସାଗରୀୟ ପାଣିପାଗ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଓଡ଼ିଶାକୁ ମୌସୁମୀ ସ୍ପର୍ଶ କରିଥିବାବେଳେ ସେଭଳି ବର୍ଷା ଅନୁଭୁତ ହୋଇ ନଥିବା କୁହାଯାଇଛି।
