ନୂଆଦିଲ୍ଲୀ: ଓମାନ ଉପକୂଳରେ ଭାରତୀୟ ଜାହାଜ ଉପରେ ଆମେରିକାର ଆକ୍ରମଣକୁ ଭାରତ ତୀବ୍ର ନିନ୍ଦା କରିଛି। ଏନେଇ ଆମେରିକୀୟ ରାଷ୍ଟ୍ରଦୂତଙ୍କୁ ଦ୍ୱିତୀୟ ଥର ପାଇଁ ସମନ କରିଛି ଭାରତ। ଭାରତୀୟ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆମେରିକା ନୌସେନାର କ୍ରମାଗତ କ୍ଷେପଣାସ୍ତ୍ର ଆକ୍ରମଣକୁ ନେଇ ଭାରତ ସରକାର ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଆକ୍ରମଣରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହେବା ପରେ, ଭାରତ ଶୁକ୍ରବାର ଦିନ ଦ୍ୱିତୀୟ ଥର ପାଇଁ ଆମେରିକାର ଦୂତାବାସ ପ୍ରଭାରୀ ଜେସନ୍ ମିକ୍ସଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ସମନ କରି ନିଜର ଦୃଢ଼ ପ୍ରତିବାଦ ଜଣାଇଛି। ଏହାପୂର୍ବରୁ ମଧ୍ୟ ତାଙ୍କୁ ଡକାଇ କୈଫିୟତ ମଗାଯାଇଥିଲା, ଯାହା ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦେଶର କୂଟନୈତିକ ସମ୍ପର୍କରେ ଏକ ବଡ଼ ତିକ୍ତତା ସୃଷ୍ଟି କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ କିଛି ଦିନ ମଧ୍ୟରେ ଓମାନ ଉପକୂଳରେ ଭାରତୀୟ ନାବିକ ଥିବା ତିନୋଟି ବାଣିଜ୍ୟିକ ଜାହାଜ ଆମେରିକା ସାମରିକ ବାହିନୀର ଟାର୍ଗେଟ୍ର ଶିକାର ହୋଇଛନ୍ତି। ଜୁନ୍ ୮ ତାରିଖରେ ୨୪ ଜଣ ଭାରତୀୟ ନାବିକଙ୍କୁ ନେଇ ଯାଉଥିବା ପାଲାଉ-ପତାକାଧାରୀ ତେଲ ଟାଙ୍କି ”ଏମଟି ମାରିଭେକ୍ସ”କୁ ଆମେରିକା ସେନା ଅଚଳ କରିଦେଇଥିବା ବେଳେ ସମସ୍ତ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଏହାପରେ ଜୁନ୍ ୧୦ ତାରିଖରେ ଆମେରିକା ନୌସେନା ”ସେଟେବେଲୋ” ନାମକ ଅନ୍ୟ ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା, ଯେଉଁଥିରେ ଜାହାଜରେ ଥିବା ୨୪ ଜଣ ଭାରତୀୟଙ୍କ ମଧ୍ୟରୁ ୩ ଜଣ ନାବିକ ପ୍ରାଣ ହରାଇଛନ୍ତି। ଗୁରୁବାର ଦିନ ମଧ୍ୟ ”ଏମଟି ଜଲଭୀର” ନାମକ ଏକ ଜାହାଜ ଉପରେ ଆମେରିକା ଯୁଦ୍ଧବିମାନ ଦୁଇଟି କ୍ଷେପଣାସ୍ତ୍ର ମାଡ଼ କରି ତାହାର ଇଞ୍ଜିନ ରୁମକୁ ଉଡ଼ାଇ ଦେଇଛି, ଯେଉଁଥିରେ ୨୦ ଜଣ ଭାରତୀୟ ନାବିକ ଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି ଯେ ସାଧାରଣ ନାଗରିକଙ୍କ ଜାହାଜ ଉପରେ ଏଭଳି ମାରାତ୍ମକ ଆକ୍ରମଣ ସମ୍ପୂର୍ଣ୍ଣ ଅଗ୍ରହଣୀୟ ଏବଂ ଏହି ଆକ୍ରମଣ ତୁରନ୍ତ ବନ୍ଦ ହେବା ଉଚିତ। ଅପରପକ୍ଷରେ ଆମେରିକା ପ୍ରଶାସନର କହିବା ଅନୁଯାୟୀ, ଇରାନ ଏବଂ ରୁଷିଆ ଉପରେ ଲଗାଯାଇଥିବା ଆମେରିକୀୟ କଟକଣା ଉଲ୍ଲଂଘନ କରି ବେଆଇନ ଭାବେ ତେଲ ପରିବହନ କରୁଥିବାରୁ ଏହି ଜାହାଜଗୁଡ଼ିକ ବିରୋଧରେ ଆମେରିକା ସେଣ୍ଟ୍ରାଲ କମାଣ୍ଡ ଏଭଳି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତୀୟ ନାବିକମାନଙ୍କ ଜୀବନ ଓ ସୁରକ୍ଷାକୁ ନେଇ ଭାରତ ଏବେ ଆମେରିକା ଉପରେ କୂଟନୈତିକ ଚାପ ପକାଇବା ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରଖିଛି।
