ନୂଆଦିଲ୍ଲୀ : ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ବଡ଼ ସଫଳତା ମିଳିଛି। ‘ରୁଦ୍ରମ୍-II’ ମିସାଇଲ୍ର ସଫଳ ପରୀକ୍ଷଣ ହୋଇଥିବାବେଳେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ-ଡିଆରଡିଓକୁ ଏହି ସଫଳତା ମିଳିଛି। ଶତ୍ରୁପକ୍ଷର ଯେକୌଣସି ପ୍ରକାରର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରଦର୍ଶନ କରିଛି । ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ଏବଂ ମଧ୍ୟମ ଦୂରଗାମୀ ଆଣ୍ଟି-ସିପ୍ କ୍ଷମତା ବିଶିଷ୍ଟ ‘ମଲ୍ଟି-ଲେୟାର୍ଡ ଡିଫେନ୍ସ ସିଷ୍ଟମ୍’ ର ଯାଞ୍ଚ ପାଇଁ ଜୁନ୍ ୧୦ ଏବଂ ୧୧ ତାରିଖରେ କ୍ରମାଗତ ଭାବେ ତିନୋଟି ଫ୍ଲାଇଟ୍ ଟେଷ୍ଟ କରାଯାଇଛି, ଯାହା ସମ୍ପୂର୍ଣ୍ଣ ସଫଳ ହୋଇଛି । ଏହି ସଫଳତା ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ DRDO କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ଏହାଦ୍ୱାରା ଭାରତର ପ୍ରତିରକ୍ଷା କ୍ଷମତା ଏକ ନୂଆ ମୁକାମରେ ପହଞ୍ଚିଛି । ଏହି ମଲ୍ଟି-ଲେୟାର୍ଡ ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସର ଅତ୍ୟାଧୁନିକ ଇଣ୍ଟରସେପ୍ଟରଗୁଡ଼ିକ ନିଜ ନିଜର ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଛନ୍ତି । ଏହି ପରୀକ୍ଷଣ ପରେ ଭାରତ ବିଶ୍ୱର ସେହି ସୀମିତ ଦେଶଗୁଡ଼ିକର ତାଲିକାରେ ସାମିଲ ହୋଇଛି, ଯାହାଙ୍କ ପାଖରେ ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲ୍ (ICBM) କୁ ମଧ୍ୟ ଆକାଶରେ ଧ୍ୱଂସ କରିବାର କ୍ଷମତା ରହିଛି। ଡିଆରଡିଓ ଏବଂ ଭାରତୀୟ ବାୟୁସେନା ମିଳିତ ଭାବେ ଆକାଶରୁ ସ୍ଥଳଭାଗକୁ ମାର୍ଗଦର୍ଶନ କରୁଥିବା ଅତ୍ୟାଧୁନିକ ‘ରୁଦ୍ରମ୍-II’ ମିସାଇଲ୍ର ସଫଳ ପରୀକ୍ଷଣ କରିଛନ୍ତି । ଓଡ଼ିଶାର ଚାନ୍ଦିପୁର ସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ର (ITR) ରୁ ଏହି ପରୀକ୍ଷଣ କରାଯାଇଥିଲା । ଏହି ମିସାଇଲ୍କୁ ଏକ ଯୁଦ୍ଧ ବିମାନରୁ ଉତକ୍ଷେପଣ କରାଯାଇଥିଲା । ଏହା ଅତି ଚ୍ୟାଲେଞ୍ଜିଂ ପରିସ୍ଥିତି ଏବଂ ଜଟିଳ ପରିକ୍ରମା ମଧ୍ୟରେ ଗତି କରି ନିଜର ଶତପ୍ରତିଶତ ସଠିକତା ଓ ସାମର୍ଥ୍ୟ ପ୍ରତିପାଦିତ କରିଛି । ସେଠାରେ ସ୍ଥାପିତ ଟ୍ରାକିଂ ଉପକରଣରୁ ମିଳିଥିବା ତଥ୍ୟ ଅନୁଯାୟୀ, ପରୀକ୍ଷଣର ସମସ୍ତ ଉଦ୍ଦେଶ୍ୟ ସଫଳ ହୋଇଛି ।
