ଆର୍ଲିଂଟନ୍ (ଆମେରିକା): ଚଳିତ ଫିଫା ବିଶ୍ବକପ୍ରେ ମ୍ୟାଚ ପରେ ଜାପାନ ପ୍ରଶଂସକ ଷ୍ଟାଡିୟମ୍ ସଫା କରିଥିବା ଦେଖିବାକୁ ମିଳିଥିଲା। ରବିବାର ରାତି ମ୍ୟାଚ୍ରେ ଜାପାନ ୨-୨ ଗୋଲ୍ରେ ନେଦରଲାଣ୍ଡ୍ସ ବିପକ୍ଷରେ ଡ୍ର’ ରଖି ପଏଣ୍ଟ ବାଣ୍ଟିଥିଲା। ଏହି ମ୍ୟାଚ୍ ସରିବା ପରେ ଜାପାନ ପ୍ରଶଂସକ ଷ୍ଟାଡିୟମ୍ ଛାଡ଼ି ନଥିଲେ। ଛାଡ଼ିବା ପୂର୍ବରୁ ଦଳକୁ ଉତ୍ସାହିତ କରିବାକୁ ଆଣିଥିବା ନୀଳ ରଙ୍ଗର ଜରିରେ ଷ୍ଟାଡିୟମ୍ ପଡ଼ି ରହିଥିବା ଅଳିଆ ଗୋଟାଇ ସଫା କରିଥିଲେ। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ଜାପାନ ପ୍ରଶଂସକଙ୍କୁ ସାରା ବିଶ୍ବର ଫୁଟ୍ବଲ୍ ପ୍ରଶଂସକ ସାବାସି ଜଣାଇଥିଲେ। ଏହି ମହାନ କାର୍ଯ୍ୟ ପାଇଁ ଫିଫା ବି ଜାପାନ ଦର୍ଶକଙ୍କୁ ପ୍ରଶଂସାରେ ପୋତି ଦେଇଛି। ଏଭଳି କାର୍ଯ୍ୟ କରିବା ଜାପାନ ପ୍ରଶଂସକଙ୍କ ପାଇଁ ନୂଆ ନୁହେଁ। ପୂର୍ବରୁ ଅଲିମ୍ପିକ୍ସ, ବିଶ୍ବକପ୍ ସହ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଏଭଳି ମହାନ କାର୍ଯ୍ୟ କରି ସମସ୍ତଙ୍କ ହୃଦୟ ଜିଣିଥିଲେ ଜାପାନୀ ଦର୍ଶକ।
