ବଲାଙ୍ଗୀର: ୧୫ ଦଫା ଦାବି ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଇଛି। ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ଏହି ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ କୃଷି ମହାବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ଶିଳ୍ପ ଅନୁଷ୍ଠାନ, କଣ୍ଟାବାଞ୍ଜିର ସାମଗ୍ରିକ ବିକାଶ ଭଳି ୧୫ ଦଫା ଦାବି ନେଇ ଆନ୍ଦୋଳନ କରାଯାଇଛି। ଆନ୍ଦୋଳନକାରୀମାନେ ଇନ୍ଦିରା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବନ୍ଦ ପାଳନ ଯୋଗୁଁ ଗାଡ଼ି ମୋଟର ବନ୍ଦ ଥିବାବେଳେ ଦୋକାନ ବଜାର ବନ୍ଦ ରହିଥିଲା। ତେବେ ଆନ୍ଦୋଳନ ସମୟରେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଥିଲା। ଦଳମତ ନିର୍ବିଶେଷରେ ଏହି ଆନ୍ଦୋଳନକୁ ସମସ୍ତେ ସମର୍ଥନ କରୁଥିବା ଆନ୍ଦୋଳନକାରୀମାନେ କହିଛନ୍ତି। ଏଥିରେ କଣ୍ଟାବାଞ୍ଜି ସହରର ବିଭିନ୍ନ ଅନୁଷ୍ଠାନ ଓ ସଂଘ ସାମିଲ ରହିଛନ୍ତି।