ଅହମ୍ମଦାବାଦ: ଗୁଜରାଟର ବଡୋଦରା-ଜାରୋଦ୍ ରାସ୍ତାରେ ଟ୍ରକ୍-ବସ୍ ଧକ୍କା ହେବାରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବୁଧବାର ସକାଳେ କୋଟାମ୍ବି ଗାଁ ନିକଟରେ ହାଇୱେରେ ଏକ ଲଗଜରୀ ବସ୍ ସହିତ ଟ୍ରକ୍ ଧକ୍କା ହୋଇଥିବାବେଳେ ଘଟଣାସ୍ଥଳରେ ହିଁ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ହାଇୱେରେ ଯାଉଥିବା ଏକ ଲଗଜରୀ ବସ୍ ହଠାତ୍ ଦ୍ରୁତ ଗତିରେ ଏକ ଟ୍ରକ୍ ପଛପଟେ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ବସ୍ର ଆଗ ଅଂଶ ଭାଙ୍ଗି ଯାଇଥିଲା। ଟ୍ରକ୍ର ପଛଭାଗ ବସ୍ ଭିତରେ ପଶିଯାଇଥିଲା। ଭୟଙ୍କର ଧକ୍କା ଯୋଗୁଁ ବସ୍ ଭିତରେ ଥିବା ପାଞ୍ଚ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ସହାୟତା ପାଇଁ ବସ୍ ଭିତରେ ଥିବା ଯାତ୍ରୀମାନେ ଆକୁଳ ଚିତ୍କାର କରିଥିଲେ। ଦୁର୍ଘଟଣାର ଶବ୍ଦ ଶୁଣି ପାଖରେ ଥିବା ଲୋକମାନେ ସାହାଯ୍ୟ କରିବା ପାଇଁ ଦୌଡ଼ି ଆସିଥିଲେ। ସମସ୍ତ ଆହତଙ୍କୁ ତୁରନ୍ତ ଭଡୋଦରାର ସାୟାଜୀ ହସ୍ପିଟାଲ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ବସ୍ ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (ଏନଡିଆରଏଫ) ର ଏକ ଦଳକୁ ଡକାଯାଇଥିଲା। ଏନଡିଆରଏଫ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରିଥିଲେ, ଭିତରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଜାରୋଦ୍ ପୋଲିସର ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ରାଜପଥରେ ଟ୍ରାଫିକ ଜାମକୁ ଏଡାଇବା ପାଇଁ ଭାଙ୍ଗିରୁଜି ଯାଇଥିବା ଗାଡିଗୁଡ଼ିକୁ ହଟାଇବା ପାଇଁ କ୍ରେନ୍ ବ୍ୟବହାର କରାଯାଥିଲା। ପୁଲିସ ଦୁର୍ଘଟଣାର କାରଣ ତଦନ୍ତ କରୁଛି।
