ନୂଆଦିଲ୍ଲୀ: ସବୁଠୁ ଦ୍ରୁତ ଅର୍ଥନୀତି ହେବ ଭାରତ।  ଚମକାଇ ଦେଲା ବିଶ୍ବ ବ୍ୟାଙ୍କ ଆକଳନ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ବିଶ୍ବବ୍ୟାପୀ ସୃଷ୍ଟି ହୋଇଥିବା ଆର୍ଥିକ ଝଟକା ସତ୍ତ୍ବେ ଭାରତ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ରହିବ। ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଗ୍ଲୋବାଲ ଇକୋନୋମୀ ପ୍ରୋସ୍ପେକଟସ ରିପୋର୍ଟରେ ଏଭଳି ଆକଳନ କରାଯାଇଛି। ରିପୋର୍ଟରେ ଦେଶର ଆର୍ଥିକ ଅଭିବୃଦ୍ଧି ହାରକୁ ମଧ୍ୟ ବୃଦ୍ଧି କରାଯାଇଛି। ରିପୋର୍ଟରେ ବିଶ୍ବ ବ୍ୟାଙ୍କ ୨୦୨୬ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ହାରକୁ ୬.୬ ପ୍ରତିଶତକୁ ବୃଦ୍ଧି କରିଛି। ଜାନୁଆରୀରେ ଜିଡିପି ହାର ୬.୫ ପ୍ରତିଶତ କରିଥିଲା ବିଶ୍ବ ବ୍ୟାଙ୍କ। ୨୦୨୭ରେ ଭାରତର ଜିଡିପିକୁ ୬.୬ପ୍ରତିଶତରୁ ୭.୨ ପ୍ରତିଶତକୁ ବୃଦ୍ଧି କରାଯାଇଛି। କୁହାଯାଉଛି ଭାରତର ମଜଭୁତ ଘରୋଇ ଚାହିଦା , ଉତ୍ପାଦ ଓ ରତ୍ପାନୀରେ ବୃଦ୍ଧି , ମଜଭୁତ ଅର୍ଥନୀତିକୁ ଆଖିରେ ରଖି ବିଶ୍ବ ବ୍ୟାଙ୍କ ଏଭଳି ଆକଳନ କରିଛି। ସାରା ବିଶ୍ବ ଆର୍ଥିକ ସଙ୍କଟରେ ଜୁଝୁ ଥିବାବେଳେ ଭାରତ ଉପରେ ଏହାର କମ ପ୍ରଭାବ ପଡ଼ିବ ବୋଲି ବିଶ୍ବ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ସାରା ବିଶ୍ବ ଆର୍ଥିକ ସଙ୍କଟ ସ୍ଥିତିରେ ଗତି କରୁଥିବାବେଳେ ୨୦୨୬ରେ ବିଶ୍ବର ସବୁଠାରୁ ଦ୍ରୁତ ଅଭିବୃଦ୍ଧି ଶୀଳ କ୍ଷେତ୍ର ରହିବ ଦକ୍ଷିଣ ଏସିଆ ବୋଲି ବିଶ୍ବବ୍ୟାଙ୍କ ଆକଳନ କରିଛି। ଆଉ ଦକ୍ଷିଣ ଏସିଆର ଅଭିବୃଦ୍ଧି ଇଞ୍ଜିନ ସାଜିବ ଭାରତ ବୋଲି କହିଛନ୍ତି ବିଶ୍ବବ୍ୟାଙ୍କ।