ନୂଆଦିଲ୍ଲୀ: ଆସନ୍ତା ଜୁନ୍‌ ୨୧ ତାରିଖରେ ହେବାକୁ ଥିବା ନିଟ୍‌ ପୁନଃପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲଗାଯାଇଥିବା ଅସ୍ଥାୟୀ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ‘ଟେଲିଗ୍ରାମ’ ମେସେଜିଂ ଆପ୍‌ ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ନିଟ୍‌ ପ୍ରଶ୍ନପତ୍ର ଲିକ୍‌କୁ ରୋକିବାକୁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ବୁଧବାର ଟେଲିଗ୍ରାମ୍‌ ମେସେଜିଂ ଆପ୍‌ ପକ୍ଷରୁ ଏହି ମାମଲାକୁ ଜଷ୍ଟିସ ତେଜସ୍‌ କରିଆଙ୍କ ସମ୍ମୁଖରେ ରଖାଯାଇଛି। ଜଷ୍ଟିସ ତେଜସ୍‌ କରିଆ ମାମଲାର ଶୁଣାଣି କରିବାକୁ ସହମତି ଦେଇଥିଲେ।  ସରକାରଙ୍କ ନିର୍ଦ୍ଦେଶରେ ଗୁଗଲ୍‌ ଟେଲିଗ୍ରାମକୁ ପ୍ଲେ ଷ୍ଟୋରରୁ ହଟେଇ ଦେଇଛି। ସରକାରଙ୍କ ଏହି ପଦକ୍ଷେପକୁ ଟେଲିଗ୍ରାମର ସଂସ୍ଥାପକ ତଥା ସିଇଓ ପାବେଲ ଦୁରୋବ ଅନୁଚିତ କହିଛନ୍ତି। ଦୁରୋବ କହିଛନ୍ତି, ଏହାଦ୍ବାରା ସମସ୍ୟା ଶେଷ ହେବନାହିଁ। ଅପରାଧୀ ଅନ୍ୟ ପ୍ଲାଟଫର୍ମ ବ୍ୟବହାର କରିପାରନ୍ତି। ଗୁଗଲ୍‌ ପ୍ଲେ ଷ୍ଟୋର୍‌ରୁ ଟେଲିଗ୍ରାମ ହଟାଯିବା ପରେ ବିବାଦ ଉଠିଛି ଓ ଟେଲିଗ୍ରାମ୍‌ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ଦୁରୋବ ମଙ୍ଗଳବାର ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ଭାରତରେ ୧୫ କୋଟି ୟୁଜର୍ସଙ୍କ ଉପରେ ଏହି କଟକଣାର ପ୍ରଭାବ ପଡ଼ିବ।