ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ଚଳିତ ବର୍ଷ ରାଜ୍ୟର ପଞ୍ଚାୟତ ଗୁଡ଼ିକୁ ୫୩୦ କୋଟି ଟଙ୍କାର ଅନୁଦାନ କମିବ
ପ୍ରଧାନମନ୍ତ୍ରୀ ଆବାସ ଓ ଜଳ ଜୀବନ ମିଶନ ଯୋଜନାରେ ଗତ ୨ ବର୍ଷ ମଧ୍ୟରେ କେନ୍ଦ୍ରୀୟ ଅନୁଦାନ ଶୂନ
ଓଡ଼ିଶାକୁ ଅନୁଦାନ ବୃଦ୍ଧି ପାଇଁ କେନ୍ଦ୍ର ନିକଟରେ ମୁହଁ ଖୋଲନ୍ତୁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭/୦୬/୨୦୨୬: ଷୋଡ଼ଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ କମିବା ଉଦ୍ବେଗଜନକ । ଡବଲ ଇଞ୍ଜିନ ସରକାରରେ ଅନୁଦାନ ବୃଦ୍ଧି ପାଇବା ପରିବର୍ତ୍ତେ କମୁଥିବାରୁ ମୁଖ୍ୟମନ୍ତ୍ରୀ ଏ ବାବଦରେ କେନ୍ଦ୍ର ସରକାରଙ୍କ ନିକଟରେ ମୁହଁ ଖୋଲନ୍ତୁ ଦାବି କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ ସାହୁ କହିଥିଲେ ଯେ, ସରକାରକୁ ଆସିବା ପୂର୍ବରୁ କେନ୍ଦ୍ରୀୟ ଅନୁଦାନ ବୃଦ୍ଧି କରି ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ କରିବ ବୋଲି କହିଥିଲା ବିଜେପି । କିନ୍ତୁ ପଞ୍ଚଦଶ ଅର୍ଥ କମିଶନ (୨୦୨୧-୨୬)ଙ୍କ ସୁପାରିଶ କ୍ରମେ ଓଡ଼ିଶାକୁ ୪.୫୩ ପ୍ରତିଶତ ଅର୍ଥ ମିଳିଥିବା ବେଳେ ଷୋଡ଼ଶ ଅର୍ଥ କମିଶନ (୨୦୨୬-୩୧)ଙ୍କ ସୁପାରିଶରେ ତାହା ୪.୪୨ ପ୍ରତିଶତକୁ ହ୍ରାସ ପାଇଛି । ଏହାଦ୍ୱାରା ଓଡ଼ିଶା ପ୍ରଭୂତ କ୍ଷତି ସହିବ । ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫,୮୦୦ କୋଟି ଟଙ୍କାର ଅନୁଦାନ ମିଳିବାକୁ ଥିବାବେଳେ ଟଙ୍କାଟିଏ ବି ଅନୁଦାନ ମିଳିଲାନି । ୨୦୨୫-୨୬ ଆର୍ଥିକ ବର୍ଷରେ ମଧ୍ୟ ଏହି ଯୋଜନାରେ ଓଡ଼ିଶା ଅନୁଦାନ ପାଇବାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ହେଲା । ସେହିପରି ଜଳ ଜୀବନ ମିଶନ ଯୋଜନାରେ ବାର୍ଷିକ ୬ ହଜାର କୋଟି ଟଙ୍କା ଅନୁଦାନ ମିଳିବାକୁ ଥିବାବେଳେ ଗତ ୨ ବର୍ଷ ମଧ୍ୟରେ ଟଙ୍କାଟିଏ ବି ଅନୁଦାନ ଓଡ଼ିଶାକୁ ମିଳିଲା ନାହିଁ । ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ଓଡ଼ିଶା ହକ୍ରୁ ବଞ୍ଚିତ ହେଲା ପରେ ମଧ୍ୟ କେନ୍ଦ୍ର ନିକଟରେ ମୁହଁ ଖୋଲିବା ପାଇଁ ସାହାସ ଜୁଟାଇ ପାରୁନାହାନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।
ଡ଼ ସାହୁ ଆହୁରି କହିଥିଲେ ଯେ, ଗତ ୨ ବର୍ଷ ମଧ୍ୟରେ ରାଜ୍ୟ ସରକାର ବଜେଟ୍ରେ ଆବଣ୍ଟିତ ଅର୍ଥ ଖର୍ଚ୍ଚ ନ କରିପାରିବାରୁ କେନ୍ଦ୍ର ଅନୁଦାନ କାଟିଦେଉଛି ଏବଂ ଯାହାବି ଅନୁଦାନ ରାଜ୍ୟକୁ ମିଳୁଛି, ତାହା ଆର୍ଥିକ ବର୍ଷ ଶେଷରେ ମିଳୁଥିବାରୁ ଖର୍ଚ୍ଚ ହୋଇପାରୁ ନାହିଁ । ରାଜ୍ୟ ବିଜେପି ସରକାରଙ୍କ ଅପାରଗତା ଲାଗି ଗ୍ରାମାଞ୍ଚଳରେ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ଜଳ ଜୀବନ ମିଶନ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ମିଳୁନଥିବାରୁ ଗ୍ରାମାଞ୍ଚଳରେ ପିଇବା ପାଇଁ ପାଣି ମିଳୁନାହିଁ । ଷୋଡ଼ଶ ଅର୍ଥ କମିଶନଙ୍କ ନୂଆ ଫର୍ମୁଲା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଗତ ୨ ବର୍ଷ ଧରି କେନ୍ଦ୍ରୀୟ ଅନୁଦାନ କମିବା ଏବଂ ରାଜ୍ୟ ବଜେଟ୍ରେ ବରାଦ ଅର୍ଥ ଖର୍ଚ୍ଚ ହୋଇନପାରିବା ଫଳରେ ବିକାଶ ବାଧାପ୍ରାପ୍ତ ହୋଇଛି । ପୂର୍ବ ବିଜେଡି ସରକାରରେ ଆର୍ଥିକ ପରିଚାଳନାରେ ଦେଶରେ ୧ ନମ୍ବର ସ୍ଥାନରେ ଥିବା ଓଡ଼ିଶାର ଆର୍ଥିକ ସ୍ଥିତି ଆଜି ବିଗିଡ଼ିଯାଇଛି । ପ୍ରଚାର ସର୍ବସ୍ୱ ବିଜେପି ସରକାର ଓଡ଼ିଶାବାସୀଙ୍କ ନାର୍ଯ୍ୟ ଦାବିକୁ କେନ୍ଦ୍ର ନିକଟରେ ଉପସ୍ଥାପିତ କରି ରାଜ୍ୟ ପାଇଁ ଅଧିକ ଅନୁଦାନ ଆଣନ୍ତୁ, ନଚେତ୍ ଓଡ଼ିଶାବାସୀ କେବେ କ୍ଷମା ଦେବେ ନାହିଁ । ବିଜେଡିର ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଉପସ୍ଥିତ ଥିଲେ ।