ଭୁବନେଶ୍ଵର : ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଘଟଣାରେ କଂଗ୍ରେସ ଓ ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି ୮ ବିଧାୟକଙ୍କ ବିରୋଧରେ କ୍ରସ୍ ଭୋଟିଂ ଅଭିଯୋଗ ଆଣିଥିଲା। ସେହିପରି କଂଗ୍ରେସ ମଧ୍ୟ ୩ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲା। ସୂଚନା ଥାଉକି, ଚଳିତ ବର୍ଷ ମାର୍ଚ୍ଚ ମାସରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେଡିର ୮ ବିଧାୟକ ସୌଭିକ୍ ବିଶ୍ଵାଳ, ଦେବୀ ରଞ୍ଜନ ତ୍ରିପାଠୀ, ଚନ୍ଦ୍ରମଣି କହଁର, ସୁବାଷିନୀ ଜେନା, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ, ସନାତନ ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ର କ୍ରସ୍ ଭୋଟିଂ କରିଥିଲେ। ଏହି ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବିଜେଡି ବାଚସ୍ପତିଙ୍କୁ ଭେଟି ଦାବି କରିଥିଲା। ବାଚସ୍ପତିଙ୍କ ନିକଟରେ ସମସ୍ତେ ପକ୍ଷ ରଖିଥିଲେ। କଂଗ୍ରେସ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ଆବେଦନ ମଧ୍ୟ ଖାରଜ ହୋଇଯାଇଛି। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପାଇଁ ୩ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିଥିଲା। ସୋଫିଆ ଫିର୍ଦ୍ଦୋଷ, ରମେଶ ଜେନା, ଦାଶରଥୀ ଗମାଙ୍ଗଙ୍କ ସଦସ୍ୟତା ରଦ୍ଦ ପାଇଁ ଆବେଦନ କରାଯାଇଥିଲା। ବିଜେଡି ସହ କଂଗ୍ରେସର ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ବାଚସ୍ପତି ସୁରମା ପାଢୀ।