କୋଲକାତା(ସତ୍ୟପାଠ ବ୍ୟୁରୋ)- ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ପରେ ଆଜି ବିଜେପି ସରକାରର ପ୍ରଥମ ବଜେଟ ଉପସ୍ଥାପନ ହୋଇଛି। ୨୦୨୬-୨୭ ବର୍ଷ ପାଇଁ ଶୁଭେନ୍ଦୁଙ୍କ ସରକାର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ସ୍ୱପନ ଦାସଗୁପ୍ତା ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା, ଭିତ୍ତିଭୂମି ପ୍ରକଳ୍ପ ଏବଂ ନିଯୁକ୍ତି ସମ୍ବନ୍ଧୀୟ ପ୍ରତିଶ୍ରୁତି ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ୨୧ ରୁ ୪୫ ବର୍ଷ ବୟସର ବେକାରୀଙ୍କ ପାଇଁ ‘ଭରୋସା ଯୋଜନା’ ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ, ବେକାର ସ୍ନାତକମାନଙ୍କୁ ପ୍ରତି ମାସରେ ୩ହଜାର ଆର୍ଥିକ ସହାୟତା ମିଳିବ। ବେକାର ଅଣସ୍ନାତକଙ୍କୁ ମାସିକ ୨ହଜାର ଭତ୍ତା ମିଳିବ। ଏହାସହିତ ରାଜ୍ୟ ସରକାରୀ ବସ୍ ରେ ମହିଳାମାନଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ଲାଗି ଅର୍ଥମନ୍ତ୍ରୀ ୫୫୦ କୋଟି ଆବଣ୍ଟନ ଘୋଷଣା କରିଛନ୍ତି। ଏହା ସହିତ, ସେ ମହିଳାମାନଙ୍କ ପାଇଁ ଏକ ଆର୍ଥିକ ସହାୟତା ଯୋଜନା ‘ଅନ୍ନପୂର୍ଣ୍ଣା ଯୋଜନା’ ପାଇଁ ୩୬ ହଜାର କୋଟି ଘୋଷଣା କରିଛନ୍ତି। ରାଜ୍ୟ ସରକାର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପ୍ରାୟ ୧ ଲକ୍ଷ ସରକାରୀ ପଦବୀ ପୂରଣ କରିବାକୁ ଘୋଷଣା କରିଛନ୍ତି। ଏହାସହିତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨୦ ପ୍ରତିଶତ ବୃଦ୍ଧି କରାଯାଇଛି। ଫଳରେ ମୋଟ ଡିଏ ୩୮ ପ୍ରତିଶତକୁ ବୃଦ୍ଧି ପାଇଛି।