ଭବାନୀପାଟଣା, (ସତ୍ୟପାଠବ୍ୟୁରୋ): ଆଜି ଗଡ଼ଜାତରେ ପାଳିତ ହୋଇଯାଇଛି କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ। ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ପର୍ବ ସରିଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଏବେ ବି ଜାରି ରହିଛି ଉତ୍ସବର ମାହୋଲ । କଳାହାଣ୍ଡିରେ ପ୍ରତିପଦାଠାରୁ ଆରମ୍ଭ କରି ଦଶହରା ଦଶମୀ ପର୍ଯ୍ୟନ୍ତ ପର୍ଯ୍ୟୟକ୍ରମେ ନୂଆଁଖାଇ ପାଳନ କରାଯାଏ । ଆଜି ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ଗଡ଼ଜାତ ଅଞ୍ଚଳବାସୀ ନୂଆ ଖାଇଛନ୍ତି । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ପୂର୍ବ ନିର୍ଦ୍ଧାରିତ ଶୁଭଲଗ୍ନ ଅନୁସାରେ, ଆଜି ଭାଦ୍ରବ ଶୁକ୍ଳପକ୍ଷ ଦଶମୀ ତିଥି ସକାଳ ୮ଟା ୨୦ ରୁ ୯.୩୦ ମିନିଟ ମଧ୍ୟରେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ନିକଟରେ ବିଧିବିଧାନ ସହ ନବାନ୍ନ ଲାଗି କରାଯାଇଛି। ମା’ଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ କଳାହାଣ୍ଡିର ପ୍ରମୁଖ ଗଡ଼ଜାତ ଅଞ୍ଚଳ ଭାବେ ପରିଚିତ ଲାଞ୍ଜିଗଡ଼, ଜୟପାଟଣା, ଭବାନୀପାଟଣା, ମଦନପୁର-ରାମପୁର ଏବଂ ମା’ଙ୍କ ଆଦିପୀଠ ଥୁଆମୂଳ ରାମପୁରରେ ଧୁମଧାମରେ ପାଳିତ ହେଉଛି ନୂଆଁଖାଇ। ମା’ଙ୍କ ପୀଠରୁ ନୂଆ ଭୋଗ ଆଣି ନିଜ ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିବା ପରେ ସପରିବାର ଏକାଠି ବସି ନୂଆ ଖାଇବେ ଅଞ୍ଚଳବାସୀ । ଏଥିପାଇଁ ଗାଁଠୁ ସହର ସବୁଠି ଖିରି, ପୁରୀ, ପିଠାପଣାର ଆୟୋଜନ ସହ ଜୁହାର ଭେଟ ଓ ନାଚଗୀତ ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଅନ୍ୟପଟେ କଳାହାଣ୍ଡିର ରାଜପରିବାର ଓ ଜମିଦାର ପରିବାରଗୁଡ଼ିକ ଆଗାମୀ ବିଜୟା ଦଶମୀରେ ନୂଆଁଖାଇ ପାଳନ କରିବାର ପରମ୍ପରା ରହିଛି ।
