ଗାଜା: ଅଶାନ୍ତ ହୋଇପଡ଼ିଛି ଗାଜା ଷ୍ଟ୍ରିପ୍୍। ଅସ୍ତ୍ରବିରତି ସତ୍ତ୍ୱେ ଗାଜା ଷ୍ଟ୍ରିପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଇଲ। ଏହି ଆକ୍ରମଣରେ ନିରୀହ ସାଧାରଣ ଲୋକଙ୍କ ଜୀବନହାନି ହେଉଥିବା ଦେଖାଯାଇଛି। ଗାଜା ସହରର ଏକ ଅତ୍ୟନ୍ତ ବ୍ୟସ୍ତବହୁଳ ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ହୋଇଛି। ଏହି ବିମାନ ଆକ୍ରମଣରେ ଜଣେ ୧୬ ବର୍ଷୀୟା ସ୍କୁଲ ଛାତ୍ରୀ ରାଘଦ ହାସନ ଆଶୁରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ରାଘଦ ଏକାଦଶ ଶ୍ରେଣୀ ପରୀକ୍ଷା ଦେବା ପାଇଁ ସ୍କୁଲ ଯାଉଥିବା ବାଟରେ ଏଭଳି ଘଟିଛି। ମୃତ ରାଘଦଙ୍କ ସମ୍ପର୍କୀୟ ଜାମିଲ ଆଶୁର କହିଛନ୍ତି , ଏହି ଆକ୍ରମଣ ରିମାଲ ଜିଲ୍ଲାର ଏକ ଅତ୍ୟନ୍ତ ବ୍ୟସ୍ତବହୁଳ ରାସ୍ତାରେ ଘଟିଛି। ଆକ୍ରମଣ ପରେ ଦୁଇଟି ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଛି। ନିର୍ଦ୍ଦୋଷ ରାଘଦଙ୍କ ଦୁଃଖଦ ମୃତ୍ୟୁ ସହିତ, ବିମାନ ଆକ୍ରମଣରେ ଅନ୍ୟ ତିନି ଜଣ ସ୍ଥାନୀୟ ଲୋକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଘଦଙ୍କ ମୃତଦେହକୁ ତୁରନ୍ତ ଗାଜାର ପ୍ରସିଦ୍ଧ ଶିଫା ହସ୍ପିଟାଲକୁ ନିଆଯାଇଥିଲା। ଯୁଦ୍ଧ ମଧ୍ୟରେ ଏହି ଘଟଣା ପୁଣି ଥରେ ସାରା ବିଶ୍ୱରେ ନିର୍ଦ୍ଦୋଷ ନାଗରିକଙ୍କ ସୁରକ୍ଷା ବିଷୟରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଇସ୍ରାଏଲୀ ସେନା ଏହି ଗମ୍ଭୀର ବିଷୟରେ ସରକାରୀ ସ୍ପଷ୍ଟୀକରଣରେ କହିଛି ଯେ, ସେମାନଙ୍କର ଟାର୍ଗେଟ ଜଣେ ହମାସ ସଦସ୍ୟ ଥିଲେ। ସେନା ସ୍ୱୀକାର କରିଛି ଯେ, ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ଜଣେ ନିର୍ଦ୍ଦୋଷ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
