ୱାଶିଂଟନ(ସତ୍ୟପାଠ ବ୍ୟୁରୋ): ଇରାନ-ଆମେରିକା ଶାନ୍ତି ଆଲୋଚନା ମଧ୍ୟରେ ଆମେରିକା ଓ ଏହାର ପାରମ୍ପରିକ ୟୁରୋପୀୟ ସହଯୋଗୀ ଦେଶଗୁଡ଼ିକ ମଧ୍ୟରେ ଥିବା ବିବାଦ ଏବେ ପଦାକୁ ଆସିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ନାଟୋ ମହାସଚିବ ମାର୍କ ରୁଟେଙ୍କ ସହ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ୟୁରୋପୀୟ ଦେଶଗୁଡ଼ିକ ଉପରେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି। ଜଣାପଡିଛି ଯେ, ଯୁଦ୍ଧ ସମୟରେ ଆଶାନୁରୂପ ସହଯୋଗ ମିଳିନଥିବା ଅଭିଯୋଗ କରି ଟ୍ରମ୍ପ ସିଧାସଳଖ ନାଟୋ ମୁଖ୍ୟଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ବୈଠକ ସମୟରେ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ସ୍ପେନ୍ ଭଳି ପ୍ରମୁଖ ଶକ୍ତିଶାଳୀ ଦେଶଗୁଡ଼ିକର ନାମ ନେଇ ସେମାନଙ୍କ ଆଭିମୁଖ୍ୟକୁ ଟ୍ରମ୍ପ ସମାଲୋଚନା କରିଛନ୍ତି । ଏହି ବୈଠକରେ ଟ୍ରମ୍ପ କହିଛନ୍ତି ଯେ, ଏହି ସଂକଟ ସମୟରେ ଯେଉଁ ସ୍ତରର ସମର୍ଥନ ମିଳିବା କଥା, ତାହା ମିଳିଲା ନାହିଁ । ଆମେ ସମ୍ପୂର୍ଣ୍ଣ ଭାବେ ନିରାଶ ହୋଇଛୁ। ଯଦି ଆମେରିକା ସ୍ଥାନରେ ଅନ୍ୟ କୌଣସି ଦେଶ ଥାଆନ୍ତା, ତେବେ ହୋଇପାରେ ଆଜି ଆମେ ଏହି ବୈଠକ କରିବା ସ୍ଥିତିରେ ମଧ୍ୟ ନଥାନ୍ତୁ। ଟ୍ରମ୍ପଙ୍କ କହିବା ଅନୁଯାୟୀ, ଇରାନ ବିରୋଧୀ ସାମରିକ କାର୍ଯ୍ୟାନୁଷ୍ଠାନ ବେଳେ ୟୁରୋପୀୟ ଦେଶଗୁଡ଼ିକ ଖୋଲାଖୋଲି ଭାବେ ଆମେରିକା ସହ ଛିଡ଼ା ହେବାର ଥିଲା, ଯାହାଦ୍ୱାରା ସମଗ୍ର ବିଶ୍ୱକୁ ଏକ ଶକ୍ତ ବାର୍ତ୍ତା ଯାଇପାରିଥାନ୍ତା । ତେବେ ସେ ନାଟୋ ପ୍ରମୁଖ ମାର୍କ ରୁଟେଙ୍କ ପ୍ରତି ସମ୍ମାନ ଜଣାଇବା ସହ ଆଗକୁ ଆଲୋଚନା ଜାରି ରହିବ ବୋଲି କହିଛନ୍ତି, କିନ୍ତୁ ଆମେରିକା ଯେ ସହଯୋଗୀଙ୍କ ଭୂମିକାରେ ସନ୍ତୁଷ୍ଟ ନାହିଁ, ତାହା ସ୍ପଷ୍ଟ କରିଦେଇଛନ୍ତି । ଅନ୍ୟପଟେ ନାଟୋ ମହାସଚିବ ମାର୍କ ରୁଟେ ୟୁରୋପୀୟ ଦେଶଗୁଡ଼ିକୁ ସୁରକ୍ଷା ଦେଇ କହିଛନ୍ତି ଯେ, ଇରାନର ପରମାଣୁ କ୍ଷମତାକୁ ଧ୍ୱଂସ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା ଏବଂ ଏହାର ରଣନୀତିକ ସଫଳତାକୁ ଜି-୭ ଦେଶର ନେତାମାନେ ମଧ୍ୟ ସ୍ୱୀକାର କରିଛନ୍ତି। ୟୁରୋପୀୟ ଦେଶଗୁଡ଼ିକ ସମ୍ପୂର୍ଣ୍ଣ ସହଯୋଗ କରିଥିବା ଦର୍ଶାଇ ରୁଟେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ରଖିଛନ୍ତି । ସେ ନାଟୋ ମୁଖ୍ୟ ସ୍ୱୀକାର କରିଛନ୍ତି ଯେ, କିଛି ବିଷୟରେ ମତଭେଦ ଓ ଚିନ୍ତା ରହିଥିଲା, କିନ୍ତୁ ବିଶ୍ୱାସର ସହ ୟୁରୋପୀୟ ସହଯୋଗୀମାନେ ଆମେରିକାକୁ ପରଦା ପଛରେ ରହି ବଡ଼ ସାହାଯ୍ୟ କରିଛନ୍ତି ।
