ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ଅହମ୍ମଦାବାଦ ବିମାନବନ୍ଦରରେ ଅଳ୍ପକେ ଟଳିଲା ବଡ଼ ବିମାନ ଦୁର୍ଘଟଣା। ପାର୍କିଂ ୱେ ନିକଟରେ ପହଞ୍ଚିବା ସମୟରେ ଏକ ଏୟାର ଇଣ୍ଡିଆ ବିମାନ ଦିଗ ପରିବର୍ତ୍ତନ କରି ସମାନ ଟ୍ରାକରେ ଏକ ଇଣ୍ଡିଗୋ ବିମାନ ସହିତ ଧକ୍କା ହୋଇଥିବା ସୂଚନା ମିଳିଛି। ଏନେଇ ଇଣ୍ଡିଗୋ କହିଛି ଯେ ଦୁଇଟି ବିମାନ ପରସ୍ପରଠାରୁ ସୁରକ୍ଷିତ ଦୂରତାରେ ଅଟକି ଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ମୁମ୍ବାଇ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ଉଡ଼ାଣ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିଲା ବେଳେ ଏୟାର ଇଣ୍ଡିଆ ବିମାନ ଦିଗ ପରିବର୍ତ୍ତନ କରି ସମାନ ଟ୍ୟାକ୍ସିୱେରେ ମାତ୍ର ୨୦୦ ମିଟର ଦୂରତାରେ ଅଟକି ଥିଲା। ଫଳରେ ବିମାନ ଦୁର୍ଘଟଣା ହେବାରୁ ବର୍ତ୍ତି ଯାଇଥିଲା। ଏନେଇ ଏକ ବିବୃତ୍ତିରେ ଏୟାର ଇଣ୍ଡିଆ କହିଛି, ବିମାନ ଏଆଇ ୨୪୯୩ ଅବତରଣ କରିବା ପରେ ଅସାବଧାନତାବଶତଃ ଦିଗ ପରିବର୍ତ୍ତନ କରିଥିଲା। ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ବିପଦରେ ପକାଇ ଦିଆ ଯାଇନାହିଁ, ଏବଂ ପରେ ବିମାନକୁ ପାର୍କିଂ ୱେକୁ ଫେରାଇ ନିଆଯାଇଥିଲା। ତେବେ ଏହି ଘଟଣା ନିୟାମକ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।
