ନୂଆଦିଲ୍ଲୀ: ଏଣିକି ଦେଶବ୍ୟାପୀ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ନବମ ଶ୍ରେଣୀରୁ ଭାରତୀୟ ଗଣତନ୍ତ୍ରର କଳା ଅଧ୍ୟାୟ ‘ଜରୁରୀକାଳୀନ’ ପରିସ୍ଥିତି ଉପରେ ଅଧ୍ୟୟନ କରିବେ। ଏନେଇ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (ଏନ୍ସିଇଆରଟି) ସୂଚନା ଦେବା ସହିତ ନବମ ଶ୍ରେଣୀ ପାଇଁ ନୂତନ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ ଜରୁରୀକାଳୀନ ପରିସ୍ଥିତିକୁ ପ୍ରମୁଖ ବିଷୟ ଭାବରେ ସ୍ଥାନିତ କରିଛି। ପୂର୍ବରୁ ଏହା ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀରେ ରାଜନୀତି ବିଜ୍ଞାନ ବିଷୟରେ ପଢ଼ାଯାଉଥିଲା। ତେବେ ନୂତନ ନିୟମ ଅନୁସାରେ ପାଠ୍ୟପୁସ୍ତକରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ଗଣମାଧ୍ୟମର ଭୂମିକା ବିଷୟରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦିଆଯିବ। ନୂତନ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ‘ଅଣ୍ଡରଷ୍ଟାଣ୍ଡିଂ ସୋସାଇଟି: ଇଣ୍ଡିଆ ଆଣ୍ଡ୍ ବିୟଣ୍ଡ‘ରେ ଏନ୍ସିଇଆରଟି ପୃଷ୍ଠା ୧୫୫ରେ ଗଣତନ୍ତ୍ର ସାମ୍ନା କରୁଥିବା ଚ୍ୟାଲେଞ୍ଜ ଉପରେ ଅଧ୍ୟାୟରେ ଜରୁରୀକାଳୀନ ପରିସ୍ଥିତିକୁ ଅନ୍ତର୍ଭୁକ୍ତ କରିଛି। ଏହା କେବେ ଲାଗୁ କରାଯାଇଥିଲା ଏବଂ ଏହା କେତେ ଦିନ ପର୍ଯ୍ୟନ୍ତ ଚାଲିଥିଲା ତାହା ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି। ଏଥିରେ ସାଧାରଣ ଲୋକଙ୍କ ମୌଳିକ ଅଧିକାର କିପରି ସଙ୍କୁଚିତ କରାଯାଇଥିଲା ଏବଂ ଏହି ସମୟ ମଧ୍ୟରେ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଇଥିଲା ତାହା ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ପାଠ୍ୟପୁସ୍ତକଟି ଜାତୀୟ ଶିକ୍ଷା ନୀତି ଏବଂ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ଅନୁସାରେ ପ୍ରସ୍ତୁତ କରାଯାଇଛି। ନୂତନ ପାଠ୍ୟପୁସ୍ତକରେ ୟୁରୋପୀୟ-କୈନ୍ଦ୍ରିକ ବିଷୟବସ୍ତୁକୁ ସୀମିତ କରାଯାଇଥିବାବେଳେ ଭାରତୀୟ ସଭ୍ୟତା ଏବଂ ସାଂସ୍କୃତିକ ଐତିହ୍ୟକୁ ଗୁରୁତ୍ୱ ଦିଆଯାଇଛି।
ପ୍ରକାଶଥାଉ କି, ୧୯୭୫ ଜୁନ୍ ୨୫ ରାତିରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିବା ବେଳେ ଏହାର ବାର୍ଷିକୀ ପାଳନ କରିଥିଲେ। ଏହି ଜରୁରୀକାଳୀନ ପରିସ୍ଥିତି ୨୧ ମାସ ପର୍ଯ୍ୟନ୍ତ ଚାଲିଥିଲା। ଏହାକୁ ସ୍ୱାଧୀନ ଭାରତ ଇତିହାସର ଏକ କଳା ଅଧ୍ୟୟ ଭାବେ ବିବେଚନା କରାଯାଏ।
