ପୁଣେ(ସତ୍ୟପାଠବ୍ୟୁରୋ): ମହାରାଷ୍ଟ୍ର ପୁଣେର ପ୍ରସିଦ୍ଧ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ମୃତ୍ୟୁ ମାମଲା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେତନଙ୍କ ଭାବି ପତ୍ନୀ ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ ଚେତନ ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି । ଏହି ସମୟରେ ସିୟା ଗୋୟଲଙ୍କ ବାପା ପ୍ରବୀଣ ଗୋୟଲଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରବୀଣ ଗୋୟଲ କହିଛନ୍ତି, “ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଆମେ ଆଜି ବି ଏହାକୁ ବିଶ୍ୱାସ କରିପାରୁନୁ । ଅଗ୍ରୱାଲ ପରିବାର ନିଜ ପୁଅକୁ ହରାଇଛନ୍ତି, କିନ୍ତୁ ମୁଁ କେତନକୁ ମୋ ନିଜ ପୁଅ ଭଳି ଭଲ ପାଉଥିଲି । ତା’ ପ୍ରତି ମୋର ଏତେ ସ୍ନେହ ଥିଲା ଯେ ମୁଁ ତାକୁ ନିଜର ବୋଲି ଭାବୁଥିଲି । ଆଜି ଆମେ ଏଭଳି ଜଣେ ଭଲ ପୁଅକୁ ହରାଇଥିବାରୁ ଗଭୀର ମର୍ମାହତ ।”ନିଜର କୋହଭରା କଣ୍ଠରେ ପ୍ରବୀଣ ଆଗକୁ କହିଛନ୍ତି, “ଏହି ଘଟଣାରେ ଯିଏ ବି ଦୋଷୀ, ତାକୁ କଠୋରରୁ କଠୋର ଦଣ୍ଡ ମିଳିବା ଦରକାର । ଯେଉଁ ଦୁର୍ଗରୁ ପଡ଼ି ଆମ କେତନର ମୃତ୍ୟୁ ହୋଇଛି, ଏହି ହତ୍ୟାକାଣ୍ଡ ପଛରେ ଯିଏ ବି ଅଭିଯୁକ୍ତ ଅଛି ସେ ଭଲେ ମୋ ନିଜ ଝିଅ କାହିଁକି ନହେଉ, ତାକୁ ବି ସେହି ଦୁର୍ଗ ଉପରୁ ତଳକୁ ଫିଙ୍ଗି ଦିଆଯାଉ ।” ପ୍ରବୀଣ ଗୋୟଲ କହିଛନ୍ତି ଯେ, “ଏକ ବାପା ହିସାବରେ ମୁଁ ଅନୁଭବ କରିପାରୁଛି ଯେ, ଅଗ୍ରୱାଲ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି । ଉଭୟଙ୍କ ବିବାହକୁ ନେଇ ଆମର ବହୁତ ଆଶା ଥିଲା । ନିର୍ବନ୍ଧ ପରଠାରୁ ସିୟା ସେଥିପାଇଁ ବହୁତ ଖୁସି ଥିଲା ଏବଂ ସବୁବେଳେ କହୁଥିଲା ଯେ କେତନ ବହୁତ ଭଲ ପିଲା, ତାକୁ ବହୁତ ଭଲ ଶାଶୁ-ଶଶୁର ଏବଂ ନଣନ୍ଦ ମିଳିଛନ୍ତି ।”ସିୟା ଏବଂ ଚେତନଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ନେଇ ପ୍ରବୀଣ ଗୋୟଲ ସ୍ପଷ୍ଟ କରିଛନ୍ତି ଯେ, ସେ ଏ ବାବଦରେ କିଛି ବି ଜାଣିନଥିଲେ । ସେ କହିଛନ୍ତି, “ସିୟା ଏକ ୧୯ ବର୍ଷର ସରଳ ଝିଅ । ଜଣେ ୧୯ ବର୍ଷର ଝିଅ ଏଭଳି କାଣ୍ଡ କରିପାରେ, ତାହା ମୋ ମୁଣ୍ଡରେ ପଶୁନି । ଚେତନ କେଉଁଠୁ ଆସିଲା, ମୁଁ ଜାଣିନି । ମୁଁ କେବେ ତାର ଚେହେରା ଦେଖିନି କି ତାର ନାଁ ମଧ୍ୟ ଶୁଣିନି ।” କେତନଙ୍କ ପରିବାର ବିଷୟରେ ସେ କହିଛନ୍ତି ଯେ, ସେମାନେ ଅତ୍ୟନ୍ତ ସଂସ୍କାରୀ ଏବଂ ଭଲ ଲୋକ । ଆମର ସେମାନଙ୍କ ସହ ବହୁ ବର୍ଷର ସମ୍ପର୍କ । ଯଦି ସିୟା କେତନକୁ ନିଜ ଆଫେୟାର ବିଷୟରେ କହିଥିଲା, ତେବେ କେତନ ନିଜ ପରିବାରକୁ ଜଣାଇବା ଉଚିତ୍ ଥିଲା, ଯାହାଦ୍ୱାରା ଆମେ ମଧ୍ୟ ଜାଣିପାରିଥାନ୍ତୁ ଏବଂ ଆଜି ଏଭଳି ଏକ କଳା ଦିନ ଦେଖିବାକୁ ପଡ଼ିନଥାନ୍ତା । ବର୍ତ୍ତମାନ ପୁଲିସ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି ।