ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ପିଢ଼ପାଟଣା ଗ୍ରାମ ନିକଟରେ ଅସହାୟ ଅବସ୍ଥାରେ ଏଣେତେଣେ ବୁଲୁଥିବା ଜନୈକା ୧୩ ବର୍ଷର ନାବାଳିକାକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି। ପିଢ଼ପାଟଣା ଗ୍ରାମର ଗହୀର ବିଲରେ ସଂପୃକ୍ତ ନାବାଳିକାଟି ଅସହାୟ ଅବସ୍ଥାରେ ଏଣେତେଣେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରିଥିଲେ। ତେବେ କୌଣସି ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନରେ ନାବାଳିକା ଜଣକ ଅନ୍ତେବାସୀ ଭାବେ ରହିଥିବାବେଳେ ସେହି ଅନୁଷ୍ଠାନର ଜନୈକ ରିଙ୍କୁ ସାର୍ ତାକୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ଏପରିକି ତାର ଶରୀରର ବିଭିନ୍ନ ସ୍ଥାନରେ ମାଡ ତଥା ଆଘାତ ଲାଗିଥିବା ନେଇ ସେ ଉପସ୍ଥିତ ଲୋକଙ୍କୁ ଦେଖାଇବା ସହ ରିଙ୍କୁ ସାର୍ ତାକୁ ମାଡ଼ ମାରି ନିର୍ଯାତନା ଦେଇଛନ୍ତି ବୋଲି ଆରୋପ କରିଛି। ଖବରପାଇ ଡେଲାଙ୍ଗ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରି ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରିବା ପରେ ପୁରୀ ସିଡବ୍ଲୁସିକୁ ହସ୍ତାନ୍ତର କରିଥିବା ନେଇ ଥାନାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ତେବେ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଡେଲାଙ୍ଗ ବ୍ଲକ୍ ବିଜେଡି ସଭାପତି ବିପନ କୁମାର ପଟ୍ଟନାୟକ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବୈରାଗୀ ଜେନା ଏବଂ ଯୁବନେତା ପ୍ରଦୀପ କୁମାର ସ୍ବାଇଁ,ବାସୁଦେବ ଜେନା ପ୍ରମୁଖ ଡେଲାଙ୍ଗ ଥାନାରେ ପହଞ୍ଚି ଏ ସଂକ୍ରାନ୍ତରେ ଥାନାଧିକାରୀ ଶ୍ରୀ ସେଠୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ଏଭଳି ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ପ୍ରତି କଠୋର ଦଣ୍ଡବିଧାନ କରିବାକୁ ଦାବି କରିଛନ୍ତି।