ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ)- ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ଘଟଣା ସାରା ରାଜ୍ୟରେ ଚହଲ ପକାଇଥିବା ବେଳେ ଆଜି ତାଙ୍କ ପ୍ରେମିକ OTAS ଅଧିକାରୀ ଭୀମସେନ ଟୁଡୁଙ୍କୁ ବହିଷ୍କାର କରିଛନ୍ତି ସରକାର। କେବେ ବି ଆଉ ସରକାରୀ ଚାକିରି କରିପାରିବେନି ଭୀମସେନ। ହେଲେ ଏତିକିରେ ସନ୍ତୁଷ୍ଟ ନୁହଁନ୍ତି ପରିବାର, ଝିଅ ମୃତ୍ୟୁ ପାଇଁ ଭୀମସେନଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି। ଓଡ଼ିଶା ଟାକ୍ସସନ୍ ଆଣ୍ଡ ଆକାଉଣ୍ଟସ୍ ସର୍ଭିସ- OTAS ସେବାରୁ ବହିଷ୍କାର ହୋଇଛନ୍ତି ଭୀମସେନ। ଖାଲି ସେତିକି ନୁହେଁ, ଆଗାମୀ ଦିନରେ କୌଣସି ସରକାରୀ ଚାକିରି କରିପାରିବେନି ବୋଲି ବି ସ୍ପଷ୍ଟ କରାଯାଇଛି। ଅପରାଧିକ ମାମଲାରେ ୪୮ ଘଣ୍ଟାରୁ ଅଧିକ ସମୟ ପୋଲିସ ଦ୍ବାରା ଅଟକ ଥିବାରୁ ସେ ବିଦା ହେଇଛନ୍ତି। ଏତିକିରେ ସନ୍ତୁଷ୍ଟ ନୁହଁନ୍ତି ପରିବାର, ଏତିକିରେ ନ୍ୟାୟ ମିଳିନି କହିଛନ୍ତି ଚନ୍ଦ୍ରିକାଙ୍କ ମାଆ। ଝିଅକୁ ଯେମିତି କଷ୍ଟ ଦେଇଛନ୍ତି ସେମିତି ଶାସ୍ତି ମିଳୁ। ଯେଉଁ ଝିଅ ପାଇଁ ଭୀମସେନ ଚନ୍ଦ୍ରିକାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ହେଲେ, ଯାହା ପାଇଁ ଏତେ ସବୁ ବିବାଦ ହେଲା ତାକୁ କାହିଁକି ପଚରାଉଚରା ହୋଇନି ବୋଲି ସେ ପ୍ରଶ୍ନ କରିଛନ୍ତି।