ବାରିପଦା(ସତ୍ୟପାଠବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଡବଲ ମର୍ଡର ହୋଇଛି । ମା’ ଓ ୮ ବର୍ଷର ଝିଅଙ୍କୁ ବେକ କାଟି ହତ୍ୟା କରାଯାଇଛି। ମହୁଲଡିହା ଥାନା ଅନ୍ତର୍ଗତ ତରାମରା ଗ୍ରାମପଞ୍ଚାୟତ ଡକେଇପାଳ ଗ୍ରାମର ମୁକ୍ତାଝରୀ ସାହିରେ ଏହି ଘଟଣା ଘଟିଛି। ମୃତକମାନେ ହେଲେ ମା’ ସୀତାମଣି ଟୁଡୁ ଓ ଝିଅ ଜବାମଣି ଟୁଡୁ । ସୂଚନା ଅନୁଯାୟୀ ମୁକ୍ତାଝରୀ ସାହିର ଚୈତ୍ୟନ ଟୁଡୁ ଶନିବାର କୋଦାଳକୁ ଧାର କରିବା ପାଇଁ ନିକଟସ୍ଥ କମାର ଶାଳକୁ ଯାଇଥିଲେ । ସେଠାରୁ ଫେରିବା ପରେ ଦେଖିଥିଲେ ସବୁ କବାଟ ବନ୍ଦ ଥିଲା। ଡାକିଲେ ମଧ୍ୟ କେହି ଶୁଣିନଥିଲେ। ଶୋଇବା ଘର ଭିତର ପଟୁ ବନ୍ଦ ଥିଲା। ସିଡି ଲଗାଇ ସ୍କାଇ ଲାଇଟ ପଟେ ଉଠି ଦେଖିଥିଲେ ଯେ ସ୍ତ୍ରୀ ସୀତାମଣି ଟୁଡୁ ଏବଂ ନାବାଳିକା ଝିଅ ଜବାମଣି ଟୁଡୁ ତଳେ ପଡିଥିଲେ। ଭିତର ପଟୁ କବାଟ ଖୋଲି ଦେଖନ୍ତିତ ଝିଅର ବେକ ଧାରୁଆ ଅସ୍ତ୍ରରେ କଟାଯାଇଛି ଓ ସ୍ତ୍ରୀ ସୀତାର ମଧ୍ୟ ମୃତ୍ୟୁ ହୋଇଛି। ଖବର ପାଇ ମହୁଲଡିହା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି। କରଞ୍ଜିଆ SDPO ନବକୃଷ୍ଣ ନାୟକ ଘଟଣା ସ୍ଥଳରେ ପହଁଞ୍ଚିଛନ୍ତି । ତେବେ ହତ୍ୟାକାଣ୍ଡର ରହସ୍ୟ ଜଣା ପଡ଼ିନଥିବା ବେଳେ ଆସନ୍ତାକାଲି ସାଇଣ୍ଟିଫିକ ଟିମ ଆସିଲା ପରେ ଶବ ବ୍ୟବଛେଦ ପାଇଁ ପଠାଯିବ ବୋଲି SDPO ନବକୃଷ୍ଣ ନାୟକଙ୍କ ସୂଚନା ଦେଇଛନ୍ତି ।