ବେଲୁଚିସ୍ତାନ(ସତ୍ୟପାଠ ବ୍ୟୁରୋ): ପାକିସ୍ତାନରେ ଆତଙ୍କବାଦୀଙ୍କ ଟାର୍ଗେଟରେ ଏବେ ପୋଲିସ। ବାରମ୍ବାର ଆତଙ୍କବାଦୀ ଆକ୍ରମଣ ହେଉଥିବାବେଳେ ବଳି ପଡ଼ୁଛନ୍ତି ଦେଶର ପୋଲିସ ଓ ସୁରକ୍ଷାକର୍ମୀ। ପୋଲିସ ଉପରକୁ ଟାର୍ଗେଟ କରି ଆକ୍ରମଣ ହେଉଥିବା ଦେଖିବାକୁ ମିଳିଛି। ଦକ୍ଷିଣ-ପଶ୍ଚିମ ବଲୁଚିସ୍ତାନ ପ୍ରଦେଶରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ୯ ଜଣ ପୁଲିସ ଅଧିକାରୀ ନିହତ ହୋଇଛନ୍ତି ଏବଂ ଅନେକ ନିଖୋଜ ଅଛନ୍ତି। ଜିଆରତ ଜିଲ୍ଲାରେ ନିର୍ମାଣାଧୀନ ଏକ ନଦୀବନ୍ଧ  ସ୍ଥଳକୁ ସୁରକ୍ଷା ଦେଉଥିବା ପୁଲିସ ଉପରେ ଆକ୍ରମଣକାରୀମାନେ ଗୁଳି ଚଳାଇଥିଲେ । ମୃତକଙ୍କ ମଧ୍ୟରେ ୨ଜଣ ବରିଷ୍ଠ ଅଧିକାରୀ ଅଛନ୍ତି ଏବଂ ନିଖୋଜ କର୍ମଚାରୀଙ୍କୁ ଖୋଜିବା ପାଇଁ  ଅଭିଯାନ ଜାରି ରହିଛି ।

ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରି ନଥିବାବେଳେ ପାକିସ୍ତାନର ଗୃହମନ୍ତ୍ରୀ ମହସିନ୍ ନକଭି ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି । ମୃତ ପୁଲିସ ଅଧିକାରୀମାନେ  ମାଙ୍ଗି ଡ୍ୟାମ ନିର୍ମାଣ ସ୍ଥଳକୁ ଜଗି ରହିଥିଲେ। ବଲୁଚିସ୍ତାନର ରାଜଧାନୀ କ୍ୱେଟା ସମ୍ମୁଖୀନ ହେଉଥିବା ଜଳ ଅଭାବକୁ ଦୂର କରିବାରେ ସାହାଯ୍ୟ କରିବା ପାଇଁ ଏହା  ନିର୍ମାଣ କରାଯାଉଛି। ଆଫଗାନିସ୍ତାନ ଏବଂ ଇରାନ  ସୀମାନ୍ତରେ ଥିବା ଏହି ପ୍ରଦେଶରେ ଦଶନ୍ଧି ଧରି ଅଶାନ୍ତି ଲାଗିରହିଛି। ସ୍ଥାନୀୟ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ପାକିସ୍ତାନ ସରକାରଙ୍କଠାରୁ ମୁକ୍ତି ପାଇଁ ଦାବି କରି ଆସୁଛନ୍ତି।