ସମ୍ବଲପୁର(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ସାରା ବିଶ୍ବରେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି କର୍କଟ ରୋଗ। ଏହି ରୋଗର ନିରାକରଣ ଓ ଚିକିତ୍ସାରେ ଭେଷଜ ବିଜ୍ଞାନ ବି ଫେଲ ମାରିଛି। ଫଳରେ ଦୈନିକ ଶହ ଶହ ଲୋକ ଏହି ରୋଗରେ ପ୍ରାଣ ହାରୁଛନ୍ତି। ସାରା ବିଶ୍ବରେ କର୍କଟ ରୋଗ ଏବେ କାୟା ବିସ୍ତାର କରିଥିବାବେଳେ ପଶ୍ଚିମ ଓଡ଼ିଶାର ସମ୍ମାନ କୁହାଯାଉଥିବା ଥିବା ଗନ୍ଧମାର୍ଦ୍ଦନ ପର୍ବତର ଗ୍ଲୁମରେ କର୍କଟ ନିରୋଧ ଔଷଧୀୟ ଗୁଣ ମିଳିଛି। ଯାହା ଚିକିତ୍ସା କ୍ଷେତ୍ରରେ ଏକ ଆଶ୍ବସ୍ତି ଆଣିଛି। ଗନ୍ଧମାର୍ଦ୍ଦନ ପର୍ବତରେ ଅନେକ ଔଷଧୀୟ ବୃକ୍ଷ ରହିଛି। ଜୈବ ବିବିଧତାର ଅମୂଲ୍ୟ ଭଣ୍ଡାର ଭାବେ ପରିଚିତ ଗନ୍ଧମାର୍ଦ୍ଦନ ପର୍ବତ ପୁଣିଥରେ ଦେଶର ବୈଜ୍ଞାନିକ ମହଲର ଦୃଷ୍ଟି ଆକର୍ଷଣ କରିଛି। ବରଗଡ଼ ଓ ବଲାଙ୍ଗିର ଜିଲ୍ଲା ସୀମାରେ ଅବସ୍ଥିତ ଏହି ପର୍ବତମାଳାର ଔଷଧୀୟ ବୃକ୍ଷକୁ ନେଇ ହୋଇଥିବା ଏକ ବୈଜ୍ଞାନିକ ଅଧ୍ୟୟନରେ କର୍କଟ ରୋଗ ବିରୋଧରେ ସମ୍ଭାବନା ଥିବା ପାଞ୍ଚଟି ଔଷଧୀୟ ଉଦ୍ଭିଦ ଚିହ୍ନଟ କରାଯାଇଛି। ଏହି ଗବେଷଣା ପ୍ରାରମ୍ଭିକ ସ୍ତରରେ ଉତ୍ସାହଜନକ ଫଳ ଦେଇଥିବାବେଳେ ଆଗାମୀ ପର୍ଯ୍ୟାୟରେ ମଣିଷ ଉପରେ କ୍ଲିନିକାଲ ପରୀକ୍ଷା କରିବାକୁ ପ୍ରସ୍ତୁତି ଚାଲିଛି। ରାଜ୍ୟ ସରକାରଙ୍କ ବାୟୋଟେକ୍ନୋଲୋଜି ଓ ବାୟୋଇନଫର୍ମାଟିକ୍ସ ବିଭାଗର ଉତ୍କର୍ଷତା ଗବେଷଣା କେନ୍ଦ୍ର ପକ୍ଷରୁ ଗନ୍ଧମାର୍ଦ୍ଦନ ପର୍ବତମାଳାର ଔଷଧୀୟ ଉଦ୍ଭିଦ ଉପରେ ବହୁବିଭାଗୀୟ ବୈଜ୍ଞାନିକ ଅଧ୍ୟୟନ କରାଯାଇଥିଲା। ପ୍ରକଳ୍ପର ଲକ୍ଷ୍ୟ ଥିଲା ସୁରକ୍ଷିତ ଏବଂ ପ୍ରଭାବଶାଳୀ କର୍କଟ ନିରୋଧକ ଔଷଧୀୟ ଉପାଦାନର ସନ୍ଧାନ। ଏହି ଗବେଷଣା ପାଇଁ ଗନ୍ଧମାର୍ଦ୍ଦନରୁ ୫୦ ପ୍ରକାରର ଔଷଧୀୟ ଉଦ୍ଭିଦ ସଂଗ୍ରହ କରାଯାଇଥିଲା। ସେଗୁଡ଼ିକରୁ ନିର୍ଯ୍ୟାସ ପ୍ରସ୍ତୁତ କରାଯାଇ ଫାଇଟୋକେମିକାଲ ବିଶ୍ଳେଷଣ, ଟୋଟାଲ ଫେନୋଲିକ କଣ୍ଟେଣ୍ଟ (ଟିପିସି), ଟୋଟାଲ ଫ୍ଲାଭୋନଏଡ କଣ୍ଟେଣ୍ଟ ସମେତ ବିଭିନ୍ନ ରାସାୟନିକ ଗୁଣର ମୂଲ୍ୟାଙ୍କନ କରାଯାଇଥିଲା। ପରେ ଏହି ନିର୍ଯ୍ୟାସଗୁଡ଼ିକୁ କର୍କଟ କୋଷ ଉପରେ ପ୍ରୟୋଗ କରାଯାଇ ସେମାନଙ୍କର କୋଷ ଧ୍ୱଂସକାରୀ କ୍ଷମତା, କୋଷର ବଞ୍ଚିବାର ହାର ଏବଂ ସାଇଟୋଟକ୍ସିସିଟି ପରୀକ୍ଷା କରାଯାଇଥିଲା। ସମସ୍ତ ପରୀକ୍ଷା ପରେ ପାଞ୍ଚଟି ଉଦ୍ଭିଦର ନିର୍ଯ୍ୟାସକୁ କର୍କଟ ବିରୋଧୀ ଥେରାପି ପାଇଁ ସବୁଠାରୁ ଆଶାଜନକ ବୋଲି ତାଲିକାଭୁକ୍ତ କରାଯାଇଛି। ଗବେଷଣାର ଅନ୍ୟତମ ଉଲ୍ଲେଖନୀୟ ଦିଗ ହେଉଛି ସ୍ତନ କର୍କଟ ମଡେଲରେ ୨୮ ଦିନିଆ ପରୀକ୍ଷା। ସେଥିରେ ଏହି ଉଦ୍ଭିଦ ନିର୍ଯ୍ୟାସ ସକାରାତ୍ମକ ଫଳ ପ୍ରଦର୍ଶନ କରିଥିବା ଗବେଷକମାନେ କହିଛନ୍ତି। ତେବେ ଏହି ଫଳାଫଳକୁ ସିଧାସଳଖ ମଣିଷର ଚିକିତ୍ସାରେ ପ୍ରୟୋଗ କରିହେବ ନାହିଁ। କ୍ଲିନିକାଲ ଟ୍ରାଏଲ ସଫଳ ହେବା ପରେ ହିଁ ଏହାର ବାସ୍ତବ ଚିକିତ୍ସା ନେଇ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଇଛି। ଗବେଷଣାର ପରବର୍ତ୍ତୀ ପର୍ଯ୍ୟାୟରେ ଆୟୁଷ ମନ୍ତ୍ରଣାଳୟର ସିସିଆରଏଏସ ଓ ଏସମ ଭୁବନେଶ୍ୱର ସହଯୋଗରେ କ୍ଲିନିକାଲ ମୂଲ୍ୟାଙ୍କନ କରିବା ପାଇଁ ଯୋଜନା ରହିଥିବା ସୂଚନା ମିଳିଛି। ବୈଜ୍ଞାନିକମାନଙ୍କ ମତରେ, ସମସ୍ତ ବୈଜ୍ଞାନିକ ପରୀକ୍ଷା ସଫଳ ହେଲେ ଭବିଷ୍ୟତରେ ଏହି ଉଦ୍ଭିଦଗୁଡ଼ିକ କର୍କଟ ଚିକିତ୍ସାର ସହାୟକ ବିକଳ୍ପ ହୋଇପାରେ। ଏହି ବହୁବିଭାଗୀୟ ଗବେଷଣାର ନେତୃତ୍ୱ ନେଇଥିଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଓ ଜୈବ ସୂଚନା ବିଭାଗର ପ୍ରାଧ୍ୟାପକ ପ୍ରଦୀପ କୁମାର ନାୟକ। ତାଙ୍କ ସହ ଡ. ପ୍ରତ୍ୟୁଷ ପ୍ରଜ୍ଞାଦୀପ୍ତ, ଏସ.ଆର୍. ନାୟକ, ନେହାରାଣୀ ନାୟକ, ସେକ୍ ଅବଦୁଲ ଆଲାମ, ଡ. ଅଙ୍କିତା ଅଗ୍ରୱାଲ ଓ ଆକାଂକ୍ଷା ଦାଶ ପ୍ରମୁଖ ଗବେଷକ ଦଳରେ ସାମିଲ ଥିଲେ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଗନ୍ଧମାର୍ଦ୍ଦନ ପର୍ବତରେ ୫୦୦ରୁ ଅଧିକ ଔଷଧୀୟ ଉଦ୍ଭିଦ ଓ ୨୦୦ରୁ ଅଧିକ ବିରଳ ପ୍ରଜାତି ରହିଛି। ଅନେକ ଝରଣା ଓ ନଦୀର ଉତ୍ପତ୍ତିସ୍ଥଳ ହୋଇଥିବା ଏହି ପର୍ବତ ଓଡ଼ିଶାର ପରିବେଶ ସନ୍ତୁଳନ ପାଇଁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗନ୍ଧମାର୍ଦ୍ଦନର ସମ୍ପ୍ରତିର ଏହି ଗବେଷଣା ଦର୍ଶାଉଛି ଯେ ପ୍ରକୃତି କେବଳ ଜଙ୍ଗଲ କିମ୍ବା ପର୍ବତ ନୁହେଁ, ଭବିଷ୍ୟତର ଚିକିତ୍ସା ବିଜ୍ଞାନର ମଧ୍ୟ ଏକ ଅମୂଲ୍ୟ ଭଣ୍ଡାର।