ଭୁବନେଶ୍ବର(ସତ୍ୟପାଠବ୍ୟୁରୋ)- ରାଜ୍ୟରେ ଦାଦନ ଶ୍ରମିକ ଚାଲାଣ ସମସ୍ୟା ବୃଦ୍ଧି ପାଉଥିବାବେଳେ ଏନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରମମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଦାଦନ ଦଲାଲଙ୍କୁ କଡ଼ା ଚେତାବନୀ ଦେଇ କହିଛନ୍ତି, ଲୋଭ ଦେଖାଇ ଶ୍ରମିକଙ୍କୁ ବାହାର ରାଜ୍ୟ ପଠାଇଲେ ଆଉ ନିସ୍ତାର ନାହିଁ। ତାମିଲନାଡୁ ଘଟଣା ପରେ ଦାଦନ ଶ୍ରମିକଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ବିନା ପଞ୍ଜୀକରଣରେ ଶ୍ରମିକ ପଠାଉଥିବା ଦାଦନ ଦଲାଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ରାଜ୍ୟ ବାହାରେ ଥିବା ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରାଯିବ।
ଦିନକୁ ଦିନ ବଢ଼ି ଚାଲିଛି ଦାଦନ ଦୁଃଖ। କାର୍ଯ୍ୟ ସ୍ଥାନରେ ବାରମ୍ବାର ଘଟୁଛି ଅଘଟଣ, ଆଉ ଅକାଳରେ ଜୀବନ ଯାଉଛି। ରୋଜଗାର ପାଇଁ ଭିଟା ମାଟି ଛାଡ଼ି ବିଦେଶ ମାଟିକୁ ଯାଉଛି ଦାଦନ ଖଟିବାକୁ। ହେଲେ କେତେବେଳେ ଶୋଷଣର ଶିକାର ତ ଆଉ କେତେବେଳେ ମୃତ୍ୟୁର ଫାଶରେ ପଡୁଛି। ଆଶ୍ଚର୍ଯ୍ୟର କଥା ହେଲା ସାରା ରାଜ୍ୟରେ ଦାଦନ ଶ୍ରମିକ ପାଇଁ ଏକ ବଡ଼ ରାକେଟ୍ କାମ କରୁଛି। ନିକଟରେ ତାମିଲନାଡୁ ଚିଙ୍ଗୁଡି ଫାକ୍ଟ୍ରିରେ ଘଟିଥିବା ଆମୋନିଆ ଗ୍ୟାସ ଅଘଟଣରେ କେନ୍ଦୁଝରର ଜୁଆଙ୍ଗ ସମ୍ପ୍ରଦାୟର ୧୫ ଜଣଙ୍କ ପ୍ରାଣହାନୀ ଘଟିଛି। ମୃତ୍ୟୁ ପରେ ସାମ୍ନାକୁ ଆସିଥିବା ସାଂଘାତିକ ତଥ୍ୟ କହୁଛି, ଏମାନଙ୍କ ଭିତରୁ କିଛି ଜଣଙ୍କ ଆଧାର କାର୍ଡକୁ ଟ୍ୟାଂପରିଂ କରି ଦାଦନ ଶ୍ରମିକ ଭାବେ ପଠାଯାଇଥିଲା। ଖାଲି କେନ୍ଦୁଝର କାହିଁକି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଦାଦନ ସମସ୍ୟା ବଡ଼ ଉତ୍କଟ। ନିରୀହ ଶ୍ରେଣୀର ଲୋକଙ୍କୁ ଲୋଭ ଦେଖାଇ ଦଲାଲ କେତେବେଳେ ତାମିଲନାଡୁ ତ ଆଉ କେତେବେଳେ ସୁରତ ଭଳି ସ୍ଥାନକୁ ଚାଲାଣ କରିଥାଏ। ଆଉ ବାହାର ରାଜ୍ୟରେ କେତେବେଳେ ଜୀବନ ଯାଉଛି ତ ଆଉ କେତେବେଳେ ପତ୍ତା ହଜିଯାଉଛି। ସେପଟେ ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ପରେ ଆକ଼୍ସନ ମୋଡରେ ସରକାର ଥିବାବେଳେ ଶ୍ରମମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି। ଲୋଭ ଦେଖାଇ ନାବାଳିକା ଓ ଶ୍ରମିକଙ୍କୁ ବାହାର ରାଜ୍ୟକୁ ପଠାଇଲେ ଆଉ ନିସ୍ତାର ନାହିଁ। ବିନା ପଞ୍ଜୀକରଣରେ ଶ୍ରମିକ ପଠାଉଥିବା ଦଲାଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଯେଉଁଥି ପାଇଁ ଦାଦନ ଦଲାଲଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରମ ବିଭାଗ। ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଶ୍ରମ ବିଭାଗ ଦେଇଛି କଡ଼ା ନିର୍ଦ୍ଦେଶ। ବାହାରକୁ ଯାଉଥିବା ପ୍ରତ୍ୟେକ ଶ୍ରମିକଙ୍କ ସଂପୂର୍ଣ୍ଣ ତଥ୍ୟ ଦେବେ ପଞ୍ଚାୟତ କର୍ତ୍ତୃପକ୍ଷ। କିଏ, କେଉଁଠି ଏବଂ କେଉଁ ପରିସ୍ଥିତିରେ କାମ କରୁଛି ସବୁ ଉପରେ ରହିବ ସରକାରଙ୍କ ନଜର। ରାଜ୍ୟ ବାହାରେ ଥିବା ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ଫେରାଇ ଆଣି କାର୍ଯ୍ୟଦକ୍ଷତା ଅନୁଯାୟୀ ନିଜ ଜିଲ୍ଲାରେ ରୋଜଗାର ଦେବାକୁ ବିଭାଗ ଯୋଜନା କରିଛି। ଏହାସହ ଦାଦନ ସମସ୍ୟା ପାଇଁ ବ୍ୟାପକ ଗ୍ରାଉଣ୍ଡ ସର୍ଭେ ମଧ୍ୟ ହେବ। ବିଡିଓମାନଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ସର୍ଭେ ଫର୍ମ, ଯେଉଁଥିରେ ଆରମ୍ଭ ହେବ ତଥ୍ୟ ସଂଗ୍ରହ ଅଭିଯାନ। ଅନ୍ୟପକ୍ଷରେ ବିଧାନସଭା ତଥ୍ୟ କହୁଛି ବଲାଙ୍ଗୀରରୁ ସର୍ବାଧିକ ପ୍ରାୟ ୫୦ ହଜାର ଦାଦନ ଶ୍ରମିକ ବାହାର ରାଜ୍ୟକୁ ଯାଇଛନ୍ତି। ସେହିପରି ଗତ ତିନି ବର୍ଷ ଭିତରେ ୨୬୨ ଜଣ ଦାଦନ ଶ୍ରମିକଙ୍କ ବିଭିନ୍ନ ରାଜ୍ୟରେ ମୃତ୍ୟୁ ଘଟିଛି।
