୪୧ ଦେଶର ତେଲ, ୭୪ ଦିନର ବ୍ୟାକଅପ
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ): ଆମେରିକା-ଇରାନ ମଧ୍ୟରେ ପୁଣି ଆରମ୍ଭ ହୋଇଛି ବଳ କଷାକଷି। ଯାହାକୁ ନେଇ ଏବେ ଚିନ୍ତାରେ ବିଶ୍ବ ବଜାର। ଯଦି ଏହି ବିବାଦ ଯୁଦ୍ଧରେ ପରିଣତ ହୁଏ ଏବଂ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ବନ୍ଦ ହୋଇଯାଏ, ତେବେ ଭାରତରେ ପେଟ୍ରୋଲ, ଡିଜେଲ ଓ ଏପିଜି ଅଭାବ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଭାରତରେ ୪୧ ଦେଶର ତେଲ, ୭୪ ଦିନର ବ୍ୟାକଅପ ଥିବାବେଳେ ସେଭଳି କୌଣସି ପ୍ରଭାବ ପଡ଼ିବନି ବୋଲି ସୂଚନା ମିଳିଛି।
ହର୍ମୁଜ୍ ପ୍ରଣାଳୀ ବିଶ୍ୱର ସବୁଠାରୁ ବ୍ୟସ୍ତ ତୈଳ ପରିବହନ ସମୁଦ୍ରପଥ ମଧ୍ୟରୁ ଗୋଟିଏ। ପାରସ୍ୟ ଉପସାଗରରୁ ବାହାରୁଥିବା ବହୁ ପରିମାଣର ଅଶୋଧିତ ତୈଳ ଏହି ପଥ ଦେଇ ବିଶ୍ୱ ବଜାରକୁ ପହଞ୍ଚେ। ଏହି ମାର୍ଗ ବନ୍ଦ ହେଲେ ବିଶ୍ୱ ତୈଳ ଯୋଗାଣ ଓ ଦର ଉପରେ ପ୍ରଭାବ ପଡ଼ିପାରେ। ତେବେ ଯୁଦ୍ଧ ପରେ ବଦଳୁଥିବା ପରିସ୍ଥିତି ଦେଖି ଭାରତ ତାହାର ଏନର୍ଜି ରଣନୀତିରେ ବଡ଼ ପରିବର୍ତ୍ତନ କରିଛି। ସରକାରଙ୍କ ଅନୁଯାୟୀ ବର୍ତ୍ତମାନ ପ୍ରାୟ ୭୦% ଅଶୋଧିତ ତୈଳ ବିକଳ୍ପ ମାର୍ଗ ଦେଇ ଆସୁଛି। ଯାହାଫଳରେ କି ହର୍ମୁଜ୍ ଉପରେ ନିର୍ଭରଶୀଳତା ଅନେକମାତ୍ରାରେ କମିଛି। ପୂର୍ବରୁ ଭାରତ ମୁଖ୍ୟତଃ ଉପସାଗରୀୟ ଦେଶ ଉପରେ ନିର୍ଭର କରୁଥିଲା। ଏବେ ରୁଷ, ଆମେରିକା, ବ୍ରାଜିଲ, ନାଇଜେରିଆ, କାଜାଖସ୍ତାନ, ଆଲଜେରିଆ, ଅଙ୍ଗୋଲା ସମେତ ୪୧ଟି ଦେଶରୁ ଭାରତ ଦ୍ବାରା ତେଲ କ୍ରୟ କରାଯାଉଛି। ଯଦି ପୁଣି ଯୁଦ୍ଧ ହୁଏ ସଙ୍କଟ ଦେଖାଦିଏ ତାହେଲେ ଏହି ସମୟରେ ଯୋଗାଣ ବନ୍ଦ ହେବାର ଆଶଙ୍କାକୁ କମିପାରେ। ସାଉଦି ଆରବର ପୂର୍ବ-ପଶ୍ଚିମ ପାଇପଲାଇନ୍ ସିଧାସଳଖ ୟାନବୁ ବନ୍ଦରକୁ ଅଶୋଧିତ ତୈଳ ପରିବହନ କରେ। ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବି ଅଶୋଧିତ ତୈଳ ପାଇପଲାଇନ୍ ସିଧାସଳଖ ହରମୁଜ୍ ପ୍ରଣାଳୀ ବାହାରେ ଅବସ୍ଥିତ ଫୁଜୈରାହ ବନ୍ଦରକୁ ତୈଳ ପରିବହନ କରେ। ଏହି ମାଧ୍ୟମରେ ତୈଳ ହର୍ମୁଜ୍ ବାହାରର ବନ୍ଦରକୁ ପହଞ୍ଚୁଛି। ଏହା ଭାରତର ଶକ୍ତି ସୁରକ୍ଷାକୁ ଅଧିକ ମଜବୁତ କରିଛି। ସେହିପିର ଭାରତ ଆମେରିକା, କାନାଡା, ନରୱେ, ରୁଷ ଓ ଆଲଜେରିଆରୁ ଏପିଜି ଆମଦାନୀ ବଢ଼ାଇଛି। ଏଥିସହିତ ଘରୋଇ ଏଲ୍ପିଜି ଉତ୍ପାଦନ ବୃଦ୍ଧି କରିବାକୁ ମଧ୍ୟ ରିଫାଇନାରୀଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଯାହା ଦ୍ୱାରା ଗ୍ୟାସ୍ ସିଲିଣ୍ଡର ଯୋଗାଣ ପ୍ରଭାବିତ ନହୁଏ। ସରକାରୀ ସୂଚନା ଅନୁଯାୟୀ, ଭାରତ ପାଖରେ ପ୍ରାୟ ୭୪ ଦିନର ତୈଳ ବ୍ୟାକଅପ୍ ରହିଛି। ରିଫାଇନାରୀଗୁଡ଼ିକ ମଧ୍ୟ ସାଧାରଣ କ୍ଷମତାଠାରୁ ଅଧିକ କ୍ଷମତାରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ପାଇଁ ଭୟଭୀତ ହେବାର କାରଣ ନାହିଁ। ତଥାପି ଯଦି ଦୀର୍ଘ ସମୟ ଧରି ଯୁଦ୍ଧ ଚାଲିଥାଏ, ତେବେ ବିଶ୍ୱ ବଜାରରେ ଅଶୋଧିତ ତୈଳର ଦର ବଢ଼ିପାରେ। କିନ୍ତୁ ଭାରତର ବର୍ତ୍ତମାନର ରଣନୀତି ତୁରନ୍ତ ଯୋଗାଣ ସଙ୍କଟର ଆଶଙ୍କାକୁ ଅନେକ କମାଇ ଦେଇଛି।
