କେନ୍ଦୁଝର(ସତ୍ୟପାଠ ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଜୁଡ଼ିଆ ଘାଟି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଏକ ପିଆଜ ବୋଝେଇ ଟ୍ରକ । ସୂଚନା ଅନୁସାରେ, ନାସିକରୁ ପିଆଜ ନେଇ ଏହି ଟ୍ରକଟି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା । ତେବେ ବିଳମ୍ବିତ ରାତିରେ ଜୁଡ଼ିଆ ଘାଟି ନିକଟରେ ହଠାତ୍ ଚାଳକ ନିୟନ୍ତ୍ରଣ ହରାଇବାରୁ ଟ୍ରକଟି ରାସ୍ତା ଉପରେ ଓଲଟି ପଡ଼ିଥିଲା । ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ କୌଣସି କ୍ଷତି ହୋଇନାହିଁ । ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ିଛି । ହେଲେ ଟ୍ରକ ଓଲଟିବା ପରେ ରାସ୍ତା ଉପରେ ଶହ ଶହ କିଲୋ ପିଆଜ ଖସି ପଡ଼ିଥିଲା । ଅନେକ ପିଆଜ ଗାଡ଼ି ଚକା ତଳେ ପଡ଼ି ନଷ୍ଟ ହୋଇଯାଇଥିଲା। ଯାହା କିଛି ବଳିଥିଲା, ସକାଳୁ ସ୍ଥାନୀୟ ଲୋକେ ଆସି ବୋହି ନେଇଥିଲେ। ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଚଳାଚଳ ପ୍ରଭାବିତ ହୋଇଥିଲା। ଦୁର୍ଘଟଣାର କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି।