ବାଲେଶ୍ବର (ସତ୍ୟପାଠ ବ୍ୟୁରୋ): ମଝି ସମୁଦ୍ରରେ ମୃତ୍ୟୁର ତାଣ୍ଡବ। ଗଭୀର ସମୁଦ୍ରକୁ  ମାଛ ମାରିବାକୁ ଯାଇ ନିଖୋଜ ହୋଇଥିବା ମାଛଧରା ଟ୍ରଲର ଏଫବି ମା କାଳୀର ସନ୍ଧାନ ମିଳିଥିବାବେଳେ ସେଥିରେ ଥିବା ୧୫ ଜଣ ମତ୍ସ୍ୟଜୀବୀ ମଧ୍ୟରୁ ୯ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପଶ୍ଚିମବଙ୍ଗ ଦୀଘାରୁ ଇଲିସି ମାରିବାକୁ ସମୁଦ୍ର ଭିତରକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି। ମାଛ ଧରିବାକୁ ଯାଇଥିବା ସେଇ ଟ୍ରଲର ଭିତରୁ ଏମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏବେ ବି ନିଖୋଜ ରହିଛନ୍ତି ୩ ଓଡ଼ିଆ ଭାଇଙ୍କ ସମେତ ୬ ଜଣ। ବାଲେଶ୍ବର ଭୋଗରାଇର ରବୀନ୍ଦ୍ର, ଜଗନ୍ନାଥ ଏବଂ ଜୟରାମ ମାଝୀଙ୍କ ପତ୍ତା ଏବେ ଯାଏଁ ମିଳିପାରିନି। ପଶ୍ଚିମବଙ୍ଗ ଦୀଘାଠାରୁ ପ୍ରାୟ ଶହେ କିଲୋମିଟର ଦୂର ବଙ୍ଗୋପସାଗର ଭିତରେ ଥିବା ରକ୍ତେଶ୍ବରୀ ବାଲିଚଢ଼ ନିକଟରେ ଓଲଟି ପଡ଼ିଥିଲା ଟ୍ରଲର। ଗତ ୬ ତାରିଖରୁ ଏମାନେ ନିଖୋଜ ଥିଲେ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବିଭିନ୍ନ ଟିମ୍ ଏମାନଙ୍କ ଖୋଜାଖୋଜି କରୁଥିଲେ।