ସୁନ୍ଦରଗଡ଼(ସତ୍ୟପାଠ ବ୍ୟୁରୋ): ଚାହୁ ଚାହୁଁ ମାଡ଼ି ଆସିଲା ବନ୍ୟା ପାଣି। କ’ଣ କରିବେ କିଛି ବୁଦ୍ଧିବାଟ ଦେଖାଗଲାନି। ଅଚାନକ ବଢ଼ିପାଣି ଆସିବାରୁ ମାଛ ଧରିବାକୁ ନଦୀ ଭିତରେ ପଶିଥିବା ଯୁବକ ଫସିଗଲେ। କୌଣସି ମତେ ନଦୀ ମଝିରେ ଥିବା ବୁଦୁବୁଦୁକିଆ ଟାପୁରେ ଗଛରେ ଚଢ଼ି ଉଦ୍ଧାର ପାଇଁ ଚିତ୍କାର କରିଥିଲେ। ପ୍ରାୟ ୭ ଘଣ୍ଟା ଗଛରେ ଆସନ୍ନ ମରଣ ସହ ଯୁଝି ଚାଲିଥିଲେ। ଶେଷକୁ ଅଗ୍ନିଶମ ବାହିନୀର ୨ ଘଣ୍ଟାର କସରତ ପରେ ସେ ସୁରକ୍ଷିତ ଉଦ୍ଧାର ହୋଇଥିଲେ। ସୁନ୍ଦଗଡ଼ ଜିଲ୍ଲା ତଳସରା ଥାନା ସବଡେଗା ମଝାପଡ଼ା ରଣପୁର ବଣ୍ଡା ନଦୀରୁ ମୃତ୍ୟୁମୁଖରୁ ଉଦ୍ଧାର ହୋଇଛନ୍ତି ଜଣେ ଯୁବକ। ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ ରଣପୁର ଗାଁର ଆଶିଷ ଡୁଙ୍ଗଡୁଙ୍ଗ (୨୬)। ସେ ସକାଳ ୫ଟାରେ ମାଛ ଧରିବାକୁ ବଣ୍ଡାନଦୀକୁ ଯାଇଥିଲେ। ବର୍ଷା ସତ୍ତ୍ବେ ନଦୀରେ ପାଣି କମ୍ ଥିଲା। କିନ୍ତୁ ସେ ନଦୀ ଭିତରେ ପଶିଥିବାବେଳେ ହଠାତ ଉପର ମୁଣ୍ଡରୁ ବଢ଼ିପାଣି ହଠାତ ମାଡ଼ି ଆସିଥିଲା ।