ବୌଦ୍ଧ(ସତ୍ୟପାଠ ବ୍ୟୁରୋ ): ପୁଣି ଖାକିରେ ଲାଗିଛି କଳା ଦାଗ। ଗଞ୍ଜେଇ ମାଫିଆଙ୍କ ସହ ସମ୍ପର୍କ ରଖିବା ବୌଦ୍ଧ ମନମୁଣ୍ଡାର ପୂର୍ବତନ ଥାନାଧିକାରୀ ସସ୍ମିତା ମଗରଙ୍କୁ ମହଙ୍ଗା ପଡ଼ିଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୋଲିସ ମହାନିର୍ଦ୍ଦେଶକ ତାଙ୍କୁ ନିଲମ୍ବନ କରିଛନ୍ତି । ଏହି ନିଲମ୍ବନ ଆଦେଶ ବଳବତ୍ତର ରହିବା ପର୍ଯ୍ୟନ୍ତ ସେ ଦକ୍ଷିଣାଞ୍ଚଳ ଆଇଜି ବ୍ରହ୍ମପୁରଙ୍କ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ। ଆଇଆଇସି ଶ୍ରୀମତୀ ମଗର ମନମୁଣ୍ଡା ଥାନାଧିକାରୀ ଭାବରେ କାର୍ଯ୍ୟରତ ଥିବା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଞ୍ଚଳରୁ ଏକ ଗଞ୍ଜେଇ ବୋଝେଇ କଣ୍ଟେନର ଧରାପଡ଼ିଥିଲା । ପୋଲିସ୍ ଗଞ୍ଜେଇ ଜବତ ପୂର୍ବକ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ଜେରା କରିବା ସହ ସେମାନଙ୍କ ମୋବାଇଲ ଯାଞ୍ଚ କରାଯାଇଥିଲା । ଜଣେ ଅଭିଯୁକ୍ତର ହ୍ୱାଟସଆପ ଚାଟ୍ ଦେଖିବାରୁ ସେଥିରେ ମନମୁଣ୍ଡା ଥାନାଧିକାରୀ ସସ୍ମିତାଙ୍କ ସହିତ ବାର୍ତ୍ତାଳାପ ରହିଥିବା ଜଣାପଡ଼ିଥିଲା । ଏନେଇ ସୁବର୍ଣ୍ଣପୁର ଏସ୍‌ପି ବୌଦ୍ଧ ଏସପିଙ୍କୁ ଅବଗତ କରିଥିଲେ । ଏହାପରେ ଶ୍ରୀମତୀ ମଗରଙ୍କୁ ବୌଦ୍ଧ ମୁଖ୍ୟାଳୟକୁ ବଦଳି କରାଯାଇଥିଲା । ଏଥିସହ ଏସ୍‌ପି ତାଙ୍କୁ କୈଫିୟତ ତଲବ କରିଥିଲେ । ଉକ୍ତ ଘଟଣାରେ ଡିଜିଙ୍କ କାର୍ଯ୍ୟାଳୟ ପତ୍ରସଂଖ୍ୟା ୨୬୧୫/ତା.୨୦.୭.୨୦୨୬ରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।