ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ) : ଦିଲ୍ଲୀର ଜନ୍ତରମନ୍ତରଠାରେ ଛାତ୍ର ଆନ୍ଦୋଳନ ଜୋର ଧରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ସମାଧାନର କୌଣସି ବାଟ ବାହାରିପାରିନି। ଏନେଇ କକ୍ରୋଚ ଜନତା ପାର୍ଟି (ସିଜେପି) ଓ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ହୋଇଥିବାବେଳେ କୌଣସି ଚୂଡ଼ାନ୍ତ ନିଷ୍କର୍ସ ବାହାରି ପାରିନାହିଁ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସିଜେପି ଅଡ଼ି ରହିଛି। ସିଜେପି କହିଛି ଯେ, ସେମାନଙ୍କ ଦାବି ଉପରେ ଜବାବ ରଖିବାକୁ ସରକାର ଶନିବାର ଅପରାହ୍ଣ ପର୍ଯ୍ୟନ୍ତ ସମୟ ନେଇଛନ୍ତି।

ଶୁକ୍ରବାର ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବରେ ସିଜେପି ଓ ସରକାରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂହ ସରକାରଙ୍କ ପ୍ରତିନିଧିତ୍ୱ କରିଥିଲେ। ସୌରଭ ଦାସ ଓ ଆଶୁତୋଷ ରାଙ୍କା ସିଜେପିର ପ୍ରତିନିଧିତ୍ୱ କରିଥିଲେ। ବୈଠକ ପରେ ସିଜେପି ମୁଖପାତ୍ରମାନେ କହିଛନ୍ତି, ଆମେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହିତ କୌଣସି ସାଲିସ କରିବୁ ନାହିଁ। ସରକାର କ୍ଷତିପୂରଣ ପ୍ରଦାନ କରିବାକୁ ଓ ପ୍ରତିବାଦକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଯେ, ଦୁଇ ଘଣ୍ଟାର ବୈଠକରେ ସିଜେପି ପରୀକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ତିନୋଟି ପ୍ରମୁଖ ଦାବି ଓ ପାଞ୍ଚଟି ପରାମର୍ଶ ଉପସ୍ଥାପନ କରିଥିଲେ।

ଜୁଲାଇ ୨୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କ ବାସଭବନରେ ହୋଇଥିବା ପୂର୍ବ ଆଲୋଚନା କୌଣସି ନିଷ୍କର୍ସ ବିନା ଶେଷ ହୋଇଥିଲା। ସିଜେପି ପ୍ରବକ୍ତା ସୌରଭ ଦାସ କହିଛନ୍ତି, ୨୦ ଜୁଲାଇ ଆନ୍ଦୋଳନ ବେଳେ ଦିଲ୍ଲୀ ପୋଲିସ ଓ ରାପିଡ ଆକ୍ସନ ଫୋର୍ସ ଯେପରି ଭାବରେ କ୍ରୁରତା ପ୍ରଦର୍ଶନ କରିଥିଲା ଆମେ ସେମାନଙ୍କୁ ସେମିତି ଯିବାକୁ ଦେବୁ ନାହିଁ। ତେବେ ସିଜେପିର ୩ ପ୍ରମୁଖ ଦାବିରୁ ସରକାର ଦୁଇଟିରେ ରାଜି ହୋଇଯାଇଥିବାବେଳେ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ ସରକାର ସହମତି ପ୍ରକାଶ କରିନାହାନ୍ତି ବୋଲି ସିଜେପି ପକ୍ଷରୁ କୁହାଯାଇଛି।

ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରେ ପୁଣିଥରେ ସିଜେପି ଓ ସରକାରଙ୍କ ମଧ୍ୟରେ ଆଲୋଚନା ହେବ। ସିଜେପିର ଅନ୍ୟ ଦୁଇଟି ଦାବିରେ ଆତ୍ମହତ୍ୟା କରିଥିବା ନିଟ୍‌ ଆଶାୟୀଙ୍କ ପରିବାର ପ୍ରତି ୧ କୋଟି ଟଙ୍କା ଲେଖାଏଁର କ୍ଷତିପୂରଣ ଓ ଆନ୍ଦୋଳନକାରୀ ଛାତ୍ରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାକୁ ଦାବି କରାଯାଇଥିଲା। ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଉପରେ ନିଷ୍ପତ୍ତି ନେବାକୁ ସରକାର ଆସନ୍ତାକାଲି ପର୍ଯ୍ୟନ୍ତ ସମୟ ମାଗିଛନ୍ତି ବୋଲି ସିଜେପି କହିଛି।