ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ) : କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସୋନମ ୱାଙ୍ଗଚୁକ ନିଜ ପ୍ରଥମ ପ୍ରତିକ୍ରିୟାରେ ଏହାକୁ ଗଣତନ୍ତ୍ରର ଏକ ବଡ଼ ବିଜୟ ବୋଲି ବର୍ଣ୍ଣନା କରିଛନ୍ତି । ସେ ନିଜର ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ, ଏହା କେବଳ ଜଣେ ମନ୍ତ୍ରୀଙ୍କ ଇସ୍ତଫା ନୁହେଁ, ବରଂ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କ ଏକତାର ବିଜୟ । ୱାଙ୍ଗଚୁକ କହିଛନ୍ତି, ଦେଶର ହଜାର ହଜାର Gen Z ଛାତ୍ରଛାତ୍ରୀ, କକ୍ରୋଚ୍ ଜନତା ପାର୍ଟି ଆନ୍ଦୋଳନର କର୍ମୀ ଏବଂ ନିର୍ଭୟରେ ଆନ୍ଦୋଳନକୁ ସମର୍ଥନ କରିଥିବା ସମସ୍ତ ନାଗରିକ ଏହି ସଫଳତାର ପ୍ରକୃତ ହକଦାର । ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ, ଲୋକଙ୍କ ସ୍ୱରକୁ ଅଣଦେଖା କରାଯାଇପାରିବ ନାହିଁ ।
ସେ ଆହୁରି କହିଛନ୍ତି ଯେ, ଏହା କେବଳ ଆରମ୍ଭ । ଏବେ ସରକାରଙ୍କ ଦାୟିତ୍ୱ ହେଉଛି ପରୀକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ କରିବା, ପେପର ଲିକ୍ ଭଳି ଘଟଣାକୁ ସମ୍ପୂର୍ଣ୍ଣ ରୋକିବା ଏବଂ ଛାତ୍ରଛାତ୍ରୀଙ୍କ ବିଶ୍ୱାସ ପୁଣି ଫେରାଇ ଆଣିବା ।
