ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ) : ୮ ବର୍ଷ ପରେ ପ୍ରଥମ କେନ୍ଦ୍ରମନ୍ତ୍ରୀ ଭାବେ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ‌ଦେବା ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାରରେ ଏକ ବିରଳ ଘଟଣା ସଦୃଶ ହୋଇଛି। ୨୦୧୮ ମସିହାରେ ସେତେବେଳେ କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ପଦରୁ ଏମ୍‌ ଜେ ଆକବର ଇସ୍ତଫା ଦେଇଥିଲେ। ଏହି ଦୃଷ୍ଟିରୁ ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା କକ୍ରୋଚ ଜନତା ପାର୍ଟି ପାଇଁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ବିରୋଧୀ ଦଳର ନେତାମାନେ ଦୀର୍ଘ ଦିନ ଧରି କେନ୍ଦ୍ର ସରକାରଙ୍କୁ ଅହଂକାରୀ ବୋଲି ଅଭିଯୋଗ କରିଆସୁଛନ୍ତି। ଏନ୍‌ଡିଏ ସରକାରରେ ମନ୍ତ୍ରୀମାନେ ଯେତେ ବଡ଼ ବିବାଦରେ ଥିଲେ ମଧ୍ୟ ମନ୍ତ୍ରିପଦ ଛାଡି ନାହାନ୍ତି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରଠାରୁ ଏହି ଧାରା ଜାରି ରହିଥିଲା। କେବଳ ୨୦୧୮ ମସିହାରେ ଏମ୍‌ ଜେ ଆକବରଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ତାଙ୍କ ବିରୋଧରେ ଅନେକ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଦେଶରେ ସେତେବେଳେ ବଡ଼ଧରଣ ‘ମି ଠୁ ଅଭିଯାନ’ ଚାଲିଥିଲା। ଏମ୍‌ ଜେ ଆକବର ଅନେକ ପ୍ରମୁଖ ଖବରକାଗଜରେ ସମ୍ପାଦକ ଥିବାବେଳେ ତାଙ୍କ ଅଧୀନରେ କାମ କରୁଥିବା କିମ୍ବା ତାଙ୍କ ସଂସ୍ପର୍ଶରେ ଆସୁଥିବା ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା।