ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ସିଏମଓରୁ ଫାଇଲ ହଜିବା ମାମଲାରେ ଏସଆଇଟି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏସଆଇଟି ପକ୍ଷରୁ ବଡ଼ ଆକ୍ସନ ନିଆଯାଇଥିବାବେଳେ 7 ଜଣଙ୍କୁ ନୋଟିସ କରାଯାଇଛି। ବହୁ ଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନରେ ସହାୟକ ହୋଇପାରୁଥିବା ନାଇଡୁ କମିସନଙ୍କ ତଦନ୍ତ ରିପୋର୍ଟ ହଜିଯିବା ଘଟଣା ଏବେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ମାମଲାର ତଦନ୍ତ କରୁଥିବା ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ ବା ଏସ୍‌ଆଇଟି ପକ୍ଷରୁ ତଦନ୍ତ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରାଯାଇଛି । ସୂଚନା ଅନୁସାରେ, ଏସ୍‌ଆଇଟି ଏପର୍ଯ୍ୟନ୍ତ ୭ ଜଣଙ୍କୁ ନୋଟିସ୍ ଜାରି କରିଥିବାବେଳେ ୪ ଜଣଙ୍କୁ ପଚରାଉଚରା କରିଛି । ତେବେ ଯେଉଁ ତତ୍କାଳୀନ ବରିଷ୍ଠ ଅଧିକାରୀମାନଙ୍କ ନିକଟରେ ରିପୋର୍ଟ ସମ୍ପର୍କିତ ସୂଚନା ଥାଇପାରେ ବୋଲି ଅନୁମାନ କରାଯାଉଛି, ସେମାନଙ୍କ ମଧ୍ୟରୁ କିଛି ନୋଟିସ୍ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ହାଜର ହୋଇନାହାନ୍ତି ।

ଏହି ଘଟଣାକୁ ନେଇ ପ୍ରଶ୍ନ ଉଠୁଛି- ନାଇଡୁ କମିସନଙ୍କ ତଦନ୍ତ ରିପୋର୍ଟ କିପରି ହଜିଗଲା? ରିପୋର୍ଟ ହଜିବା ପଛରେ କେବଳ ପ୍ରଶାସନିକ ତ୍ରୁଟି ରହିଛି, ନା ଏହା ପଛରେ କୌଣସି ବଡ଼ ଷଡଯନ୍ତ୍ର ଲୁଚି ରହିଛି? ଏହି ସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ସଂସ୍ଥା । ଅନ୍ୟପକ୍ଷରେ, ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚ ନେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବଡ଼ କିମ୍ବା ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିନାହିଁ । ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଘଟଣାର ସମସ୍ତ ଦିଗ ସ୍ପଷ୍ଟ ହୋଇନଥିବାରୁ ଲୋକଙ୍କ ମନରେ ସନ୍ଦେହ ଆହୁରି ବଢ଼ୁଛି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଓ ନାଇଡୁ କମିସନ ରିପୋର୍ଟ ହଜିବା ଘଟଣା ପରସ୍ପର ସହ କେତେ ଜଡ଼ିତ, ତାହାର ସତ୍ୟତା ଉନ୍ମୋଚନ ପାଇଁ ଏବେ ଏସ୍‌ଆଇଟିର ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି ।