ଭୁବନେଶ୍ୱର, (ସତ୍ୟପାଠ ବ୍ୟୁରୋ)- ଚଳିତ ବନ୍ୟା ପରିସ୍ଥିତିରେ ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ପାଖରେ ରାଜ୍ୟ ସରକାର ଦୃଢ଼ତାର ସହ ଛିଡ଼ା ହୋଇଛନ୍ତି। ବନ୍ୟା ମୁକାବିଲା, ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିବା ପରେ ମନ୍ତ୍ରୀମାନଙ୍କୁ ବିଭିନ୍ନ ଜିଲ୍ଲାର ରିଲିଫ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବନ୍ୟା ପ୍ରଭାବିତଙ୍କ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କାର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହି ସହାୟତା ତୁରନ୍ତ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବନ୍ୟା ପ୍ରଭାବିତ ଅଞ୍ଚଳର ସମସ୍ତ ଯୋଗ୍ୟ ହିତାଧିକାରୀ ଓ ପରିବାରଙ୍କୁ ଗ୍ରାଚୁଇଟସ୍ ରିଲିଫ୍ ଯୋଗାଇ ଦିଆଯିବ ଏବଂ ସ୍ୱାଭାବିକ ପରିସ୍ଥିତି ଫେରିବା ପର୍ଯ୍ୟନ୍ତ ଏହି ସହାୟତା ଜାରି ରହିବ।
ଏହି ନିଷ୍ପତ୍ତି ଅନୁଯାୟୀ ଘରବାଡ଼ି କ୍ଷତିଗ୍ରସ୍ତ ପରିବାରମାନଙ୍କ ପାଇଁ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ବାସଗୃହର ମରାମତି ନିମନ୍ତେ ୧.୨୦ ଲକ୍ଷ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬,୫୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ୪,୦୦୦ ଟଙ୍କା, ଭାଙ୍ଗିଯାଇଥିବା କୁଡ଼ିଆ ଘର ପାଇଁ ୮,୦୦୦ ଟଙ୍କା ଓ ଗୁହାଳ ଘର ପାଇଁ ୩,୦୦୦ ଟଙ୍କା ଦିଆଯିବ।
କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ ଫସଲ ବା ଉଦ୍ୟାନ କ୍ଷୟକ୍ଷତି ନିମନ୍ତେ ଅଣଜଳସେଚିତ ଅଞ୍ଚଳ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଜମିରେ ୧୭,୦୦୦ ଟଙ୍କା ଏବଂ ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ହିସାବରେ ସହାୟତା ଯୋଗାଇ ଦିଆଯିବ। ବନ୍ୟାଜନିତ ମୃତ୍ୟୁ ଘଟଣାରେ ୬ ଜଣ ମୃତକଙ୍କ ନିକଟର ପରିବାରକୁ ବିପର୍ଯ୍ୟୟ ସହାୟତା ପାଣ୍ଠି ନିୟମାନୁଯାୟୀ ୨୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ମୃତ ଗୃହପାଳିତ ପଶୁମାନଙ୍କ ପାଇଁ ମଧ୍ୟ ସହାୟତା ପ୍ରଦାନ କରାଯିବ।
ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ବନ୍ୟା ପ୍ରଭାବିତ ପ୍ରତ୍ୟେକ ପରିବାର ପର୍ଯ୍ୟନ୍ତ ତୁରନ୍ତ ରିଲିଫ୍ ଓ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପହଞ୍ଚାଇବା ପାଇଁ ପ୍ରଶାସନ ନିରନ୍ତର କାର୍ଯ୍ୟ କରୁଛି। ଚଳିତ ବନ୍ୟାରେ ୨୨ଟି ଜିଲ୍ଲାର ୮୫ଟି ବ୍ଲକ୍, ୧୫ଟି ପୌରାଞ୍ଚଳ, ୬୫୬ଟି ଗ୍ରାମ ପଞ୍ଚାୟତ ଏବଂ ୧୪୫୮ଟି ଗ୍ରାମ ପ୍ରଭାବିତ ହୋଇଛି। ପ୍ରାୟ ୮ ଲକ୍ଷ ୬୩ ହଜାର ୯୦୯ ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ, ପୂର୍ବ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୨ ଲକ୍ଷ ୬୭ ହଜାର ୩୦୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଲୋକଙ୍କୁ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପଶୁଚିକିତ୍ସା, ପଲିଥିନ୍ ସିଟ୍ ଏବଂ ଅନ୍ୟାନ୍ୟ ଜରୁରୀ ସହାୟତା ନିରନ୍ତର ଭାବେ ଯୋଗାଇ ଦିଆଯାଉଛି।
