ବାରିପଦା, (ସତ୍ୟପାଠବ୍ୟୁରୋ)-ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସ୍ଥିତ ସରଗଡ଼ା କସ୍ତୁରବା ଗାନ୍ଧୀ ବାଳିକା ହାଇସ୍କୁଲରେ ଦୂଷିତ ଖାଦ୍ୟ ଖାଇ ବହୁ ଛାତ୍ରୀ ଅସୁସ୍ଥ ହେବା ଘଟଣାରେ ପ୍ରଶାସନ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ହୀରାମଣି ହେମ୍ବ୍ରମଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ନିଲମ୍ବନ କରିଛନ୍ତି। ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ଗତ ୨୩ ଜୁଲାଇରେ ରାଇରଙ୍ଗପୁର ବ୍ଲକର ସରଗଡ଼ା କସ୍ତୁରବା ଗାନ୍ଧୀ ବାଳିକା ହାଇସ୍କୁଲର ପ୍ରାୟ ୧୦୦ ଜଣ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୧୯ ଜଣ ଛାତ୍ରୀ ଝାଡ଼ା-ବାନ୍ତିରେ ଗୁରୁତର ଭାବେ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ତୁରନ୍ତ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅନ୍ୟପକ୍ଷରେ, ୩୦ରୁ ଅଧିକ ଅସୁସ୍ଥ ଛାତ୍ରୀଙ୍କୁ ବିଦ୍ୟାଳୟ ହଷ୍ଟେଲରେ ମେଡିକାଲ ଟିମ୍ ପହଞ୍ଚି ଚିକିତ୍ସା ସେବା ଯୋଗାଇଥିଲା।
ପ୍ରାଥମିକ ତଦନ୍ତରୁ ଛାତ୍ରୀମାନେ ଖାଇଥିବା ଖାଦ୍ୟ ଯୋଗୁଁ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଇଥିଲା। ଘଟଣା ପରେ ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଖାଦ୍ୟର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ହଷ୍ଟେଲର ଖାଦ୍ୟ ପରିଚାଳନା ବ୍ୟବସ୍ଥାକୁ ମଧ୍ୟ ଯାଞ୍ଚ କରାଯାଇଛି।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷାଧିକାରୀ ପ୍ରଧାନଶିକ୍ଷୟତ୍ରୀ ହୀରାମଣି ହେମ୍ବ୍ରମଙ୍କୁ ନିଲମ୍ବନ କରିଥିବା ସୂଚନା ଦେଇଛନ୍ତି। ଏହି ଘଟଣା ପରେ ବିଦ୍ୟାଳୟ ହଷ୍ଟେଲରେ ଖାଦ୍ୟର ଗୁଣବତ୍ତା, ସ୍ୱଚ୍ଛତା ଏବଂ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ତଦନ୍ତ ରିପୋର୍ଟ ଆସିବା ପରେ ଘଟଣାରେ ଆହୁରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ସୂଚନା ଦେଇଛି।
