କୋରାପୁଟ, (ସତ୍ୟପାଠବ୍ୟୁରୋ): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକଫୁଲବେଢ଼ା ପଞ୍ଚାୟତର ମାଝୀଗୁଡ଼ା ଗ୍ରାମରେ ରାସ୍ତା ସମସ୍ୟାକୁ ନେଇ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ବର୍ଷ ବର୍ଷ ଧରି ପକ୍କା ରାସ୍ତା ନିର୍ମାଣ ହୋଇ ପାରୁ ନଥିବାରୁ କ୍ଷୁବ୍ଧ ଗ୍ରାମବାସୀ ଆଜି କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ଖୁବ୍ ଶୀଘ୍ର ରାସ୍ତା ସମସ୍ୟାର ସମାଧାନ ନହେଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ସହ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମାଝୀଗୁଡ଼ା ଗ୍ରାମରେ ପ୍ରାୟ ୪୫ଟି ପରିବାରର ୧୮୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ଅଧିକାଂଶ ଲୋକ ପଡୁ ଚାଷ ଉପରେ ନିର୍ଭରଶୀଳ। ଗ୍ରାମଟି ପଞ୍ଚାୟତ କାର୍ଯ୍ୟାଳୟଠାରୁ ୮ କିଲୋମିଟର ଓ ବ୍ଲକ କାର୍ଯ୍ୟାଳୟଠାରୁ ୩୫ କିଲୋମିଟର ଦୂରରେ ଅବସ୍ଥିତ। କିନ୍ତୁ ଗାଁକୁ ଯାତାୟାତ ପାଇଁ ଉପଯୁକ୍ତ ରାସ୍ତା ନଥିବାରୁ ପ୍ରତିଦିନ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଜରୁରୀ ସ୍ୱାସ୍ଥ୍ୟ ସେବା ବେଳେ ପରିସ୍ଥିତି ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ୁଛି। ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଗାଁକୁ ପହଞ୍ଚିପାରୁନଥିବାରୁ ଗୁରୁତର ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ପ୍ରାୟ ୨ କିଲୋମିଟର ଦୂର ଓଡ଼ପୁର ଛକ ପର୍ଯ୍ୟନ୍ତ ଭାରରେ ବୋହି ନେବାକୁ ପଡ଼ୁଛି। ସେଠାରୁ ଅନ୍ୟ ଯାନବାହନ ଯୋଗେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଉଛି। ପଞ୍ଚାୟତ, ବ୍ଲକ ପ୍ରଶାସନ ଏବଂ ଜନପ୍ରତିନିଧିଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ପଲ୍ଲୀସଭା ଓ ଗ୍ରାମସଭାରେ ମଧ୍ୟ ରାସ୍ତା ନିର୍ମାଣ ପ୍ରସ୍ତାବ ଗୃହୀତ ହୋଇଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇନାହିଁ। ପ୍ରତି ନିର୍ବାଚନ ବେଳେ ନେତାମାନେ ବିକାଶର ପ୍ରତିଶ୍ରୁତି ଦେଇ ଭୋଟ ମାଗୁଥିବା ବେଳେ ନିର୍ବାଚନ ସରିଲେ ଗ୍ରାମବାସୀଙ୍କୁ ଭୁଲିଯାଉଥିବା ଅଭିଯୋଗ ହୋଇଛି।ଗ୍ରାମର ବୁଦ୍ରା ହନ୍ତାଲ, ଡମ୍ବରୁ ହନ୍ତାଲ, ରଣା ହନ୍ତାଲ, ମଧୁ ହନ୍ତାଲ, ଦୈତାରୀ ଗଲରି, ଧନୁର୍ଜୟ ହନ୍ତାଲ ଓ ଭଗବାନ ସୁକ୍ରି ପ୍ରମୁଖ କହିଛନ୍ତି ଯଦି ଶୀଘ୍ର ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ନାହିଁ ତେବେ ଭୋଟ ବର୍ଜନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ। ଏ ନେଇ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ କହିଛନ୍ତି ଏ ସମ୍ପର୍କରେ ବିଡ଼ିଓଙ୍କୁ ଅବଗତି କରି ଖୁବଶୀଘ୍ର କିଭଳି ରାସ୍ତା ନିର୍ମାଣ ହେବ ସେନେଇ ବ୍ୟବସ୍ଥା ଗ୍ରହଣ କରାଯିବ।