କୋରାପୁଟ,(ସତ୍ୟପାଠବ୍ୟୁରୋ): ବାହାରୁ ଦେଖିଲେ ଲାଗୁଛି ଗୁହାଳ ଘର। ହେଲେ ଭିତରେ ଗଢ଼ା ହେଉଛି କୁନି କୁନି ପିଲାଙ୍କ ଭବିଷ୍ୟତ। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୫ ବର୍ଷ ହେବ ଅତି ବିପଦପୂର୍ଣ୍ଣ ଓ ଅସୁରକ୍ଷିତ ଭାବେ କୋମଳମତି ଶିଶୁମାନଙ୍କୁ ଦିଆଯାଉଛି ଶିକ୍ଷା। ଦୁଇ ଖଣ୍ଡ ବାଉଁଶ ଉପରେ ପଡ଼ିଛି ଦଦରା ଟିଣ । କେତେବେଳେ ଖସି ପଡ଼ିବ କିଛି କହିହେବ ନାହିଁ। ଖାଲି ସେତିକି ନୁହେଁ, ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ସ୍ଥାୟୀ ଗୃହ ନଥିବାରୁ ସେହି ଗୁହାଳରେ ହିଁ ପିଲାଙ୍କ ପାଇଁ ରୋଷେଇ କରି ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଜଣାପଡ଼ିଛି। ଏଭଳି ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ଓଡ଼ପୁର ଗ୍ରାମର ଗୌଡ଼ ସାହିର ସରକାରଙ୍କ ପ୍ରାକ୍ ଶିକ୍ଷା ବ୍ୟବସ୍ଥାରେ। ଏହି ଗ୍ରାମରେ ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ଅଛି। ଗୋଟିଏ ଆଦିବାସୀ ସାହିରେ ଥିବା ବେଳେ ଅନ୍ୟଟି ଗୌଡ଼ ସାହିରେ ଅଛି। ଗୌଡ଼ ସାହିରେ ସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ପିଲାମାନଙ୍କୁ ଦୀର୍ଘ ପାଞ୍ଚ ବର୍ଷ ହେଲା ଏକ ଅସ୍ଥାୟୀ ଘରେ ଶିକ୍ଷା ଦାନ କରାଯାଉଛି। ସେଠାରେ ୧୦ରୁ ଅଧିକ ପିଲା ଅତି ବିପଦପୂର୍ଣ୍ଣ ଭାବେ ସେଠାରେ ପାଠ ପଢ଼ୁଥିବା େଦଖିବାକୁ ମିଳିଛି। ଏ େନଇ ଅଭିଭାବକ ଓ ଗ୍ରାମବାସୀ ସ୍ଥାୟୀ ଅଙ୍ଗନବାଡ଼ି େକନ୍ଦ୍ର ନିର୍ମାଣ କରିବା ପାଇଁ ବାରମ୍ବାର ଦାବି କରୁଥିଲେ ମଧ୍ୟ େସମାନଙ୍କ କଥା େକହି ଗୁରୁତ୍ବ ଦେଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗୁହାଳଟି ଅତ୍ୟନ୍ତ ଜରାଜୀର୍ଣ୍ଣ ଓ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ବିଶେଷକରି ଝଡ଼ବର୍ଷା ସମୟରେ ଶିଶୁମାନଙ୍କ ସୁରକ୍ଷାକୁ ନେଇ ଅଭିଭାବକମାନେ ସବୁବେଳେ ଚିନ୍ତାରେ ରହୁଛନ୍ତି। ଫଳରେ ଅନେକ ଅଭିଭାବକ ପିଲାଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ପଠାଇବାକୁ ମଧ୍ୟ ଅମଙ୍ଗ ହେଉଛନ୍ତି। ଅନ୍ୟପଟେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ସ୍ଥାୟୀ ଗୃହ ନଥିବାରୁ ସେହି ଗୁହାଳରେ ହିଁ ପିଲାଙ୍କ ପାଇଁ ରୋଷେଇ କରିବାକୁ ପଡୁଛି। ପାଚିକା ନୀଳମଣି ପ୍ରଧାନୀ କହିଛନ୍ତି କେବେ କେବେ ଅଙ୍ଗନବାଡ଼ି କର୍ମୀ ଅନୁପସ୍ଥିତ ରହିଲେ ପିଲାଙ୍କୁ ବସାଇ ରଖିବା ଦାୟିତ୍ୱ ମଧ୍ୟ ତାଙ୍କୁ ନେବାକୁ ପଡୁଛି।ଏ ଗ୍ରାମର ନୀଳମାଧବ ପ୍ରଧାନୀ କହିଛନ୍ତି ପଞ୍ଚାୟତ ସମିତି ବୈଠକରେ ଏହି ପ୍ରସଙ୍ଗ ଉଠାଇବା ସହ ବିଡିଓଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ଅନ୍ୟପକ୍ଷରେ ସରକାର ପ୍ରାକ୍ ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଓଡ଼ପୁର ଗ୍ରାମର ଗୌଡ଼ ସାହିର ଶିଶୁମାନେ ଆଜି ମଧ୍ୟ ଗୁହାଳରେ ବସି ପାଠ ପଢୁଥିବା ଘଟଣା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ଏ େନଇ ଗ୍ରାମବାସୀ ଦୁତିକା ଗୌଡ଼, ଶଶି ଗୌଡ଼ ପ୍ରମୁଖ ଶୀଘ୍ର ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ଦାବି କରିଛନ୍ତି। ଏନେଇ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ କହିଛନ୍ତି ଘଟଣାର ସତ୍ୟତା ଯାଞ୍ଚ କରିବା ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯିବ। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ତୁରନ୍ତ ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
