ଭୁବନେଶ୍ବର (ସତ୍ୟପାଠବ୍ୟୁରୋ)- ଭୂସ୍ଖଳନ ରୋକିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ଷା ଋତୁରେ ପାହାଡ଼ିଆ ଅଞ୍ଚଳରେ ବାରମ୍ବାର ଘଟୁଥିବା ଭୂସ୍ଖଳନକୁ ଦୃଷ୍ଟିରେ ରଖି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମ୍ବେଦନଶୀଳ ରାସ୍ତାଗୁଡ଼ିକ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଭୂସ୍ଖଳନ ପ୍ରଭାବିତ ରାସ୍ତାର ସୁରକ୍ଷା ଓ ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ୨୦୨୬-୨୭ ଆର୍ଥିକ ବର୍ଷରେ ଅର୍ଥ ପ୍ରଦାନ କରାଯିବ ବୋଲି କହିଛନ୍ତି। ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ଜାରି ଚିଠିରେ କୋରାପୁଟ, ଜୟପୁର, ସୁନାବେଡା, ମାଲକାନଗିରି, ନବରଙ୍ଗପୁର, ବାରିପଦା, କରଞ୍ଜିଆ, ରାୟଗଡ଼ା, ଗୁଣୁପୁର ଓ ଗଜପତି ସମେତ ବିଭିନ୍ନ ଡିଭିଜନର ଅଧୀକ୍ଷଣ ଓ କାର୍ଯ୍ୟନିର୍ବାହୀ ଯନ୍ତ୍ରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ପ୍ରକଳ୍ପ ପ୍ରସ୍ତାବ ପଠାଇବାକୁ କୁହାଯାଇଛି। ପ୍ରସ୍ତାବରେ ରିଟେନିଂ ୱାଲ୍‌, ଢାଳ ସ୍ଥିରୀକରଣ, ଉନ୍ନତ ଡ୍ରେନେଜ୍‌, ରକ୍‌ଫଲ୍‌ ସୁରକ୍ଷା, ଷ୍ଟୋନ୍‌ ପିଚିଂ ଏବଂ ବାୟୋ-ଇଞ୍ଜିନିୟରିଂ ଭଳି ବ୍ୟବସ୍ଥା ସାମିଲ କରିବାକୁ ନିର୍ଦ୍ଦେଶ ରହିଛି । ସମସ୍ତ ପ୍ରସ୍ତାବ ୭ ଦିନ ମଧ୍ୟରେ ଦାଖଲ କରିବାକୁ କୁହାଯାଇଛି ।