ବ୍ୟାଙ୍କକ(ସତ୍ୟପାଠବ୍ୟୁରୋ): ସ୍କୁଲରେ ନବମ ଶ୍ରେଣୀ ଛାତ୍ରର ଆଖିବୁଜା ଗୁଳିମାଡ଼ । ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ ଉପକଣ୍ଠରେ ଥିବା ଏକ ପ୍ରତିଷ୍ଠିତ ବିଦ୍ୟାଳୟରେ ଜଣେ ନାବାଳକ ଛାତ୍ର ଭୟାବହ ଗୁଳିକାଣ୍ଡ ଘଟାଇଛି। ଏହି ଆକ୍ରମଣରେ ୩ ଜଣ ଶିକ୍ଷକ, ୩ ଜଣ ଛାତ୍ର ଏବଂ ଆକ୍ରମଣକାରୀର ଜେଜେବାପା ଓ ଜେଜେମା’ଙ୍କୁ ମିଶାଇ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ ୧୫ ଜଣ ଛାତ୍ରଛାତ୍ରୀ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ବୋଲି ଜାତୀୟ ପୁଲିସ ମୁଖପାତ୍ର ଟ୍ରାଇରୋଙ୍ଗ ଫିଓଫାନ ସୂଚନା ଦେଇଛନ୍ତି। ନୋନ୍ଥାବୁରୀ ପ୍ରଦେଶର ଏକ ହାଇସ୍କୁଲରେ ଏହି ଜଘନ୍ୟ କାଣ୍ଡ ଘଟିଛି। ଅଭିଯୁକ୍ତ ଜଣକ ସେହି ବିଦ୍ୟାଳୟର ନବମ ଶ୍ରେଣୀର ୧୪ ବର୍ଷୀୟ ଛାତ୍ର ବୋଲି ପୁଲିସ ଚିହ୍ନଟ କରିଛି । ଗୁଳିବର୍ଷା କରିବା ପରେ ସେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛି। ପୁଲିସ ପକ୍ଷରୁ ଜାରି ହୋଇଥିବା ବିବୃତି ଅନୁଯାୟୀ, ଅଭିଯୁକ୍ତ ଛାତ୍ର ଜଣକ ସ୍କୁଲ କ୍ୟାମ୍ପସକୁ ଆସିବା ପୂର୍ବରୁ ନିଜ ବାସଭବନରେ ତା’ର ଜେଜେବାପା ଏବଂ ଜେଜେମା’ଙ୍କୁ ଗୁଳିକରି ହତ୍ୟା କରିଥିଲା। ଏଥିପାଇଁ ସେ ନିଜ ଜେଜେ ବାପାଙ୍କର ଏକ ୯ ଏମଏମ ପିସ୍ତଲ ବ୍ୟବହାର କରିଥିଲା।
ଘରେ ହତ୍ୟାକାଣ୍ଡ ଘଟାଇବା ପରେ ବନ୍ଧୁକ ଧରି ଛାତ୍ର ଜଣକ ବିଦ୍ୟାଳୟରେ ପ୍ରବେଶ କରିଥିଲା ଏବଂ ସେଠାରେ ଥିବା ଶିକ୍ଷକ ଓ ସହପାଠୀମାନଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଏବଂ ଜରୁରିକାଳୀନ ସେବା ସଂସ୍ଥାର କର୍ମଚାରୀ ସ୍କୁଲ ପରିସରକୁ ଘେରି ଯାଇଥିଲେ। ସେହି ସମୟରେ ବିଦ୍ୟାଳୟ ମଧ୍ୟରେ ଥିବା ଛାତ୍ରଛାତ୍ରୀମାନେ ଭୟଭୀତ ହୋଇ ଶ୍ରେଣୀଗୃହ ମଧ୍ୟରେ ନିଜକୁ ଆବଦ୍ଧ କରି ରଖିଥିଲେ।
