ବାଲେଶ୍ବର(ସତ୍ୟପାଠ ବ୍ୟୁରୋ): ଆଇନଜୀବୀଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରିବା ଦାବିରେ ଜଳେଶ୍ୱର ଓକିଲ ସଂଘ ପକ୍ଷରୁ ଦିନକ ପାଇଁ ସମୂହ କଲମ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି।

ସୂଚନା ଅନୁସାରେ, ସୋମବାର ଅପରାହ୍ଣରେ ଆଇନଜୀବୀ ସିଦ୍ଧାର୍ଥ ଦାସ ବାଇକ୍ ଯୋଗେ କୋର୍ଟରୁ ନିଜ ଘରକୁ ଫେରୁଥିଲେ। ସେ ଜଳେଶ୍ବର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିବା ସମୟରେ ଏକ ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇ ଭୁଜାଲିରେ ଆକ୍ରମଣ କରିଥିଲେ । ଆକ୍ରମଣରେ ସିଦ୍ଧାର୍ଥଙ୍କ କାନ୍ଧ ଓ ହାତରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଜଳେଶ୍ୱର ଡାକ୍ତରଖାନା, ପରେ ବାଲେଶ୍ୱର ଏବଂ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପଟେ, ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କୁ ପୁଲିସ ଏପର୍ଯ୍ୟନ୍ତ ଗିରଫ କରିପାରିନଥିବାରୁ ଓକିଲ ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି । ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଓକିଲମାନେ ଦିନକ ପାଇଁ କଲମ ଛାଡ଼ ଆନ୍ଦୋଳନ କରିଛନ୍ତି । ଏହାସହିତ ଜଳେଶ୍ୱର ଥାନାରେ ଓକିଲ ସଂଘ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।