ଭୁବନେଶ୍ବର (ସତ୍ୟପାଠବ୍ୟୁରୋ): କୁନି ପୁଅର ଚିକିତ୍ସା ପାଇଁ କୋଲକାତା ଯିବା ଲାଗି ବିମାନକୁ କରିଥିଲେ ଅପେକ୍ଷା। ବିମାନ ବିଳମ୍ବ ନେଇ ଘୋଷଣା ପରେ ବି ସେ ଧର୍ଯ୍ୟ ହାରି ନଥିଲେ। କୋଳରେ ଅସୁସ୍ଥ ପୁଅ, ଆଉ ଘୋଷଣା ହେଲା ବିମାନ ସମ୍ପୂର୍ଣ୍ଣ ବାତିଲ। ଯାହାକୁ ନେଇ ମାଆ ମନ ବିଚଳିତ ହେବା ସହ ଧର୍ଯ୍ୟହରା ହୋଇପଡ଼ିଥିଲେ। ବିମାନ ବାତିଲକୁ ନେଇ ମହିଳା ତାତି ଉଠିଥିବାବେଳ, ଏୟାରପୋର୍ଟରେ କଲେ ଭଙ୍ଗାରୁଜା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ବର ଏୟାରପୋର୍ଟରେ । ଯାନ୍ତ୍ରିକ ତ୍ରୁଟି ଯୋଗୁ ଇଣ୍ଡିଗୋ ବିମାନ ଉଡ଼ାଣ ପ୍ରଥମେ ବିଳମ୍ବ ପରେ ବାତିଲ ହୋଇଥିଲା । ଯାହାକୁ ନେଇ ମହିଳା ଯାତ୍ରୀ ଜଣଙ୍କ ଉତକ୍ଷିପ୍ତ ହୋଇ ବିମାନ ବନ୍ଦରରେ କମ୍ପ୍ୟୁଟର ଭଙ୍ଗାରୁଜା କରିଥିଲେ ।
ସୂଚନା ଅନୁଯାୟୀ, ପୁଅର ଚିକିତ୍ସା ପାଇଁ କୋଲକାତା ଯାଉଥିଲେ ମହିଳା। ବିମାନ ବାତିଲ ହେବାରୁ ପାଟିତୁଣ୍ଡ କରିବା ସହ ଭଙ୍ଗାରୁଜା କରିଥିଲେ । ମହିଳାଙ୍କ ହାଇଡ୍ରାମା ଭିଜୁଆଲ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ତେବେ ଇଣ୍ଡିଗୋ ବିମାନ ବାତିଲ ପରେ ଅନ୍ୟ କନେକଟିଂ ବିମାନରେ ମହିଳା ଯାତ୍ରୀ ଜଣଙ୍କ ଯାଇଥିଲେ। ସେପଟେ ଘଟଣା ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ ଏୟାରପୋର୍ଟ ଥାନାରେ ଏତଲା ଦେଇଛନ୍ତି ।
