ମାଲକାନଗିରି, (ସତ୍ୟପାଠବ୍ୟୁରୋ ) : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଜନ୍ଦ୍ରାଗୁଡ଼ା ଗାଁରେ ବାଘ ଆତଙ୍କ ଦେଖାଯାଇଛି। ବାଘ ଆକ୍ରମଣରେ ଜଣେ ୪ ବର୍ଷର ଶିଶୁକନ୍ୟା ଗୁରୁତର ଆହତ ହୋଇଛନ୍ତି। ଘର ନିକଟରେ ଖେଳୁଥିବା ବେଳେ ହଠାତ୍ ଏକ ବନ୍ୟଜନ୍ତୁ ଆସି ଶିଶୁକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଜନ୍ଦ୍ରାଗୁଡ଼ା ଗାଁର ଆଇତା ବେଟିଙ୍କ ୪ ବର୍ଷର ଝିଅ ସରୋଜିନୀ ଘରେ ଖେଳୁଥିଲେ। ଏହି ସମୟରେ ହଠାତ୍ ଏକ ବନ୍ୟଜନ୍ତୁ ତାଙ୍କୁ ଆକ୍ରମଣ କରି ଜଙ୍ଗଲ ଆଡ଼କୁ ଟାଣି ନେଉଥିଲା। ଶିଶୁର ଚିତ୍କାର ଶୁଣି ଗାଁ ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ପରେ ଜନ୍ତୁଟିକୁ ଘଉଡ଼ାଇ ରକ୍ତାକ୍ତ ଅବସ୍ଥାରେ ଶିଶୁକୁ ଉଦ୍ଧାର କରିଥିଲେ। ଆହତ ଶିଶୁକୁ ତୁରନ୍ତ ମାଥିଲି ସବ୍ଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ବେକ, କାନ୍ଧ ଓ ପିଠିରେ ନଖ ରାମ୍ପୁଡ଼ା ଆଘାତ ରହିଛି। ଗ୍ରାମବାସୀଙ୍କ ଅଭିଯୋଗ, କଲରାପତରିଆ ବାଘ ଆକ୍ରମଣ କରିଛି। ତେବେ ଆକ୍ରମଣକାରୀ ପ୍ରକୃତରେ ବାଘ ନା ଅନ୍ୟ କୌଣସି ବନ୍ୟଜନ୍ତୁ, ତାହା ଜଣାପଡ଼ିନାହିଁ । ବନ ବିଭାଗ ଘଟଣାର ତଦନ୍ତ କରିବା ସହ ଆକ୍ରମଣକାରୀ ଜନ୍ତୁକୁ ଚିହ୍ନଟ ପାଇଁ ଅନୁସନ୍ଧାନ ଆରମ୍ଭ କରିଛି।
