ନୂଆଦିଲ୍ଲୀ,(ସତ୍ୟପାଠବ୍ୟୁରୋ): ୨୦୨୭ ଜନଗଣନା ସୋମବାରଠାରୁ ଆରମ୍ଭ ହୋଇଛି। ଅଗଷ୍ଟ ୧୭ରୁ ଲୋକେ ଅନଲାଇନ୍‌ରେ ନିଜର ଓ ପରିବାର ସଦସ୍ୟଙ୍କ ସମ୍ପର୍କିତ ତଥ୍ୟ ନିଜେ ଦାଖଲ କରିପାରିବେ। ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ସହ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ବରଫ ପଡୁଥିବା ତଥା ଦୁର୍ଗମ ଅଞ୍ଚଳରେ ଜନଗଣନା କରାଯିବ। ଏହି ଅଞ୍ଚଳଗୁଡ଼ିକରେ ଭୌଗୋଳିକ ଦୁର୍ଗମତା ଓ ଶୀତ ଋତୁରେ ଯାତାୟାତ ସମସ୍ୟାକୁ ଦୃଷ୍ଟିରେ ରଖି ଆଗୁଆ ଜନଗଣନା କରାଯାଉଛି। ଅଗଷ୍ଟ ୧୭ରୁ ‘ସ୍ବ-ଗଣନା’ ସହିତ ଜନଗଣନା ଆରମ୍ଭ  ହୋଇଛି। ଅଗଷ୍ଟ ୧୭ରୁ ୩୧ ତାରିଖ ମଧ୍ୟରେ ଏହି ଅଞ୍ଚଳର ଲୋକେ ଅନଲାଇନ୍‌ରେ ନିଜର ଓ ପରିବାର ସଦସ୍ୟଙ୍କ ସମ୍ପର୍କିତ ତଥ୍ୟ ନିଜେ ଦାଖଲ କରିପାରିବେ। ଏହା ପରେ ସେପ୍ଟେମ୍ବର ୧ରୁ ୩୦ ମଧ୍ୟରେ ଜନଗଣନା କର୍ମଚାରୀମାନେ ଘରକୁ ଘର ଯାଇ ତଥ୍ୟ ଯାଞ୍ଚ ଓ ସଂଗ୍ରହ କରିବେ। ଜନଗଣନାରେ ଏଥର ମୋଟ ୪୦ଟି ପ୍ରଶ୍ନ ରହିଛି। ଏଥିରେ ଜାତି, ବାପା ମାଆଙ୍କ ବିବରଣୀ, ପରିଚୟପତ୍ର ଓ ଅନ୍ୟାନ୍ୟ ସାମାଜିକ-ଆର୍ଥିକ ତଥ୍ୟ ସମ୍ପର୍କିତ ପ୍ରଶ୍ନ ରହିଛି। ଲଦାଖର ୭ଟି ଜିଲ୍ଲାରେ ପ୍ରାୟ ୨.୭୪ ଲକ୍ଷ ଲୋକଙ୍କ ଜନଗଣନା କରାଯିବ। ଜମ୍ମୁ-କଶ୍ମୀରର ୧୬ଟି ଜିଲ୍ଲାରେ ପ୍ରାୟ ୮୮.୧ ଲକ୍ଷ ଲୋକ ଏହି ପର୍ଯ୍ୟାୟରେ ସାମିଲ ହେବେ। ଦୋଡା, ପୁଞ୍ଚ ଓ କୁପୱାରା ଭଳି ଦୁର୍ଗମ ଅଞ୍ଚଳ ମଧ୍ୟ ଏଥିରେ ରହିଛି।

ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ପୂର୍ବରୁ ଜନଗଣନା ସାରିବା ପାଇଁ ପ୍ରାୟ ୬,୯୦୩ଟି ବରଫ ପଡୁଥିବା ଗାଁ ଓ ଅଞ୍ଚଳ ଚିହ୍ନଟ କରାଯାଇଛି। କିନ୍ନୌର, ଲାହୌଲ-ସ୍ପିତି ଓ ଚମ୍ବାର ପାଙ୍ଗି-ଭରମୌର ଭଳି ଦୁର୍ଗମ ଅଞ୍ଚଳ ଏଥିରେ ସାମିଲ। ସ୍ପିଟି ଉପତ୍ୟକାର କୋମିକ୍‌ ଗାଁ, ଯାହା ସମୁଦ୍ରପତ୍ତନଠାରୁ ପ୍ରାୟ ୧୫,୦୪୯ ଫୁଟ ଉଚ୍ଚରେ ଅବସ୍ଥିତ, ସେଠାରେ ମଧ୍ୟ ଜନଗଣନା କରାଯିବ। ହିମାଚଳରେ ଜନଗଣନା ପାଇଁ ପ୍ରାୟ ୨୦,୩୯୦ ଜଣ ଗଣନାକାରୀ ଓ ସୁପରଭାଇଜର ନିୟୋଜିତ ହେବେ। ମୋବାଇଲ୍‌ ଆପ୍‌ ଅନଲାଇନ୍‌ ଓ ଅଫଲାଇନ୍‌- ଦୁଇଟି ମୋଡ୍‌ରେ କାମ କରିବ। ତେଣୁ ନେଟୱର୍କ ନଥିବା ଦୁର୍ଗମ ଅଞ୍ଚଳରେ ମଧ୍ୟ ତଥ୍ୟ ସଂଗ୍ରହ କରିବା ସମ୍ଭବ ହେବ। ଉତ୍ତରାଖଣ୍ଡର ୪ଟି ଜିଲ୍ଲାର ୧୩୧ଟି ଗାଁ ଓ ୩ଟି ସହରରେ ପ୍ରାୟ ୫୨ ହଜାର ଲୋକଙ୍କ ଜନଗଣନା କରାଯିବ। ଏଥିରେ ଉତ୍ତରକାଶୀର ୬୯, ଚମୋଲିର ୨୩, ରୁଦ୍ରପ୍ରୟାଗର ୪ ଓ ପିଥୋରାଗଡ଼ର ୩୫ଟି ଗାଁ ରହିଛି। ଗଙ୍ଗୋତ୍ରୀ, ବଦ୍ରିନାଥ ଓ କେଦାରନାଥ ତିନିଟି ସହର ମଧ୍ୟ ଏଥିରେ ସାମିଲ। ଏହି ଅଞ୍ଚଳରେ ପ୍ରାୟ ୧୬୨ ଜଣ ଗଣନାକାରୀ ଓ ୩୪ ଜଣ ସୁପରଭାଇଜର ନିୟୋଜିତ ହେବେ। ବରଫ ପଡୁଥିବା ଅଞ୍ଚଳରେ ସେନା ଓ ଅର୍ଦ୍ଧସାମରିକ ବାହିନୀର ଜନଗଣନା ମଧ୍ୟ ସମାନ ସମୟରେ କରାଯିବ। ସୁରକ୍ଷା କାରଣରୁ ସେନା ଓ ଅର୍ଦ୍ଧସାମରିକ ବାହିନୀର ତଥ୍ୟ ପେପର୍‌ ମୋଡ୍‌ରେ ସଂଗ୍ରହ କରାଯାଇ ପରେ ଡିଜିଟାଲ୍‌ ଭାବେ ରେକର୍ଡ କରାଯିବ।

୨୦୧୧ ଜନଗଣନା ତୁଳନାରେ ଏଥର ୧୧ଟି ଅଧିକ ପ୍ରଶ୍ନ ସାମିଲ କରାଯାଇଛି। ଏଥିରେ ବାପାମାଆଙ୍କ ବିବରଣୀ ସହ ପାସପୋର୍ଟ, ଆଧାର, ଭୋଟର୍‌ ଆଇଡି, ମୋବାଇଲ୍‌ ନମ୍ବର, ଡ୍ରାଇଭିଂ ଲାଇସେନ୍ସ, କୋଭିଡ୍‌-୧୯ ଟିକାକରଣ ଓ ସ୍ଥାୟୀ ବାସସ୍ଥାନ ସମ୍ପର୍କିତ ପ୍ରଶ୍ନ ରହିଛି। ଦୁର୍ଗମ ଓ ବରଫ ପଡୁଥିବା ଅଞ୍ଚଳର ଆଗୁଆ ଜନଗଣନା ପରେ ଦେଶର ଅନ୍ୟ ଅଞ୍ଚଳରେ ଫେବ୍ରୁଆରୀ ୨୦୨୭ରେ ଜନସଂଖ୍ୟା ଗଣନା କରାଯିବ। ଏହି ପ୍ରକ୍ରିୟା ମାର୍ଚ୍ଚ ୧, ୨୦୨୭ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଛି। କୋଭିଡ୍‌-୧୯ ମହାମାରୀ ଯୋଗୁଁ ୨୦୨୧ରେ ହେବାକୁ ଥିବା ଜନଗଣନା ସ୍ଥଗିତ ହୋଇଥିଲା। ୨୦୨୭ ଜନଗଣନା ଭାରତର ୧୬ତମ ଜନଗଣନା ଏବଂ ସ୍ୱାଧୀନତା ପରେ ୮ମ ଜନଗଣନା ହେବ। ପ୍ରଥମ ଥର ପାଇଁ ନାଗରିକଙ୍କୁ ନିଜେ ଅନଲାଇନ୍‌ରେ ଜନଗଣନା ତଥ୍ୟ ଦାଖଲ କରିବାର ସୁବିଧା ମିଳୁଛି।