ମାହାଙ୍ଗା, (ସତ୍ୟପାଠବ୍ୟୁରୋ) : ମାହାଙ୍ଗା ବ୍ଲକରେ ଉନ୍ନୟନ କାର୍ଯ୍ୟକୁ ନେଇ ବିବାଦ ଦେଖାଯାଇଛି। ଏନେଇ ବଡ଼ ଅଭିଯୋଗ ଆସିଛି। ଯୋଗ୍ୟ ଭିତ୍ତିଭୂମି ଥିବା ସତ୍ତ୍ୱେ ୩୭ଟି ପ୍ରକଳ୍ପକୁ କାଗଜପତ୍ରରେ ଅଯୋଗ୍ୟ ଦର୍ଶାଇ ଉନ୍ନୟନ କାମ ରୋକିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମାହାଙ୍ଗା ବ୍ଲକର ୭ ଜଣ ଯନ୍ତ୍ରୀଙ୍କୁ କଟକ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ୨୦୨୬-୨୭ ଆର୍ଥିକ ବର୍ଷରେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପ୍ରକଳ୍ପ ଅଧୀନରେ ମାହାଙ୍ଗା ବ୍ଲକ ପାଇଁ ୧୨୯ଟି ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। ଏଥିପାଇଁ ପ୍ରାୟ ୫ କୋଟି ୩୯ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲା। ତେବେ ୧୮ଟି ପଞ୍ଚାୟତର ୩୭ଟି ପ୍ରକଳ୍ପକୁ କାଗଜପତ୍ରରେ ଅଯୋଗ୍ୟ ଦର୍ଶାଯାଇଥିବା ଅଭିଯୋଗ ହୋଇଛି। ଜନପ୍ରତିନିଧିଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ କରାଯାଇଥିଲା। କଟକ ସଦର ବ୍ଲକର ୩ ଜଣ ଯନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ତଦନ୍ତ ପରେ ଅଭିଯୋଗର ସତ୍ୟତା ସାମ୍ନାକୁ ଆସିଥିବା କୁହାଯାଉଛି। ମାହାଙ୍ଗା ବ୍ଲକର ମୋଟ ୮ ଜଣ ଯନ୍ତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କୁ ବ୍ୟକ୍ତିଗତ ଭାବେ ଏହି ନୋଟିସ୍ ଜାରି କରାଯାଇଛି। ସହକାରୀ ଯନ୍ତ୍ରୀ ଅମିତା ମଲ୍ଲିକ, ଜଗନ୍ନାଥ ପ୍ରସାଦ ବାରିକ, ସାଗର ମଲ୍ଲିକଙ୍କ ସମେତ କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ବେହେରା, ଚଣ୍ଡୀ ପ୍ରସାଦ ମିଶ୍ର, ରଶ୍ମିତା ସିଂହ ଓ ସୁଶାନ୍ତ ବେହେରା ନୋଟିସ୍ ପାଇଛନ୍ତି । ୭ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ସନ୍ତୋଷଜନକ ଉତ୍ତର ନମିଳିଲେ ନିୟମ ଅନୁସାରେ କଠୋର ପଦକ୍ଷେପ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।
