କଟକ,(ସତ୍ୟପାଠ ବ୍ୟୁରୋ) : ଓଡ଼ିଶା ହାଇକୋର୍ଟରେ ଅଗ୍ନି ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ଓଡ଼ିଶା ହାଇକୋର୍ଟ ପରିସରରେ ଅଗ୍ନିନିରାପତ୍ତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ୧୧ଟି ଅତିରିକ୍ତ ଅଗ୍ନିଶମ ପଦବୀ ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏଥିଲାଗି ବାର୍ଷିକ ପ୍ରାୟ ୫୧ ଲକ୍ଷ ୧୨ ହଜାର ୨୮୦ ଟଙ୍କାର ଆର୍ଥିକ ବୋଝ ପଡ଼ିବ। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ପକ୍ଷରୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଏନେଇ ପ୍ରସ୍ତାବ ପଠାଯାଇଛି । ହାଇକୋର୍ଟ ଭଳି ଅତ୍ୟନ୍ତ ସମ୍ବେଦନଶୀଳ ଓ ଅଧିକ ଜନଗହଳିପୂର୍ଣ୍ଣ ପରିସରରେ ୨୪ ଘଣ୍ଟିଆ ଅଗ୍ନିଶମ ପ୍ରସ୍ତୁତି ପାଇଁ ସ୍ଥାୟୀ ଟିମ୍‌ର ଆବଶ୍ୟକତା ଥିବା ଦର୍ଶାଯାଇଛି। ବର୍ତ୍ତମାନ ହାଇକୋର୍ଟ ପରିସରରେ ଏକ ଅସ୍ଥାୟୀ ଫାୟାର ଆଉଟ୍‌ପୋଷ୍ଟ ଚାଲୁଛି । ଏଥିପାଇଁ କଟକ, ବିଡ଼ାନାସୀ, ବାରଙ୍ଗ, ଟାଙ୍ଗୀ-ଚୌଦ୍ୱାର ଓ ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ରରୁ କର୍ମଚାରୀଙ୍କୁ ଡ୍ୟୁଟିରେ ମୁତୟନ କରାଯାଉଛି। ଫଳରେ ଏହି ଅଗ୍ନିଶମ କେନ୍ଦ୍ରଗୁଡ଼ିକର ନିଜସ୍ୱ ମାନବସମ୍ବଳ କମିବା ସହ ଜରୁରୀକାଳୀନ ସେବା ପ୍ରଭାବିତ ହେଉଥିବା ଅଗ୍ନିଶମ ବିଭାଗ ଦର୍ଶାଇଛି । ଫଳରେ ଅସ୍ଥାୟୀ ବ୍ୟବସ୍ଥା ବଦଳରେ ସ୍ଥାୟୀ ଫାୟାର ୟୁନିଟ୍ ଗଠନ ପାଇଁ ସରକାରଙ୍କ ଅନୁମୋଦନ ଲୋଡ଼ାଯାଇଛି ।